ଫନୀ ପାଇଁ ମିଳିଛି ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୩୧୧୪.୪୬ କୋଟି

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଗତ ମେ ୩ ତାରିଖରେ ଉପକୂଳ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫନୀ ଯୋଗୁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କର ଜୀବିକା ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିପାଇଁ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୫୨୨୭.୬୮ କୋଟି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଇତିମଧ୍ୟରେ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ରାଜ୍ୟକୁ ୩୧୧୪.୪୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ବିଭିନ୍ନ ସହାୟତା ପ୍ରଦାନ, ଉଦ୍ଧାର, ରିଲିଫ ବଣ୍ଟନ ଓ କ୍ଷତିଗ୍ରସ୍ତ ସାଧାରଣ ସମ୍ପତ୍ତିର ପୁନରୁଦ୍ଧାର ପାଇଁ ବିପର୍ଯ୍ୟୟ ପ୍ରଶମନ ସହାୟତା ପାଣ୍ଠିରୁ ସମ୍ପୃକ୍ତ ଜିଲାପାଳ ଓ ବିଭାଗଗୁଡିକୁ ୩୧୧୯.୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶୁକ୍ରବାର ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଭାଜପା ସଭ୍ୟ ଜୟନ୍ତ କୁମାର ଷଡଙ୍ଗୀଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।