Advertisement

ଫନୀ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ନୂଆ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର, ୩୦ା୫(ବ୍ୟୁରୋ) : ବୁଧବାର ଶପଥ ଗ୍ରହଣ ଉତ୍ସବ ପରେ ନୂତନ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗ ପରିଦର୍ଶନ କରି ବାତ୍ୟା ‘ଫନୀ’ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ତାଙ୍କୁ ବିଭାଗୀୟ ସଚିବ ହେମନ୍ତ ଶର୍ମା ଓ କର୍ମଚାରୀମାନେ ସ୍ବାଗତ କରିଥିଲେ। ଏହି ଅବସରରେ ଶକ୍ତିମନ୍ତ୍ରୀଙ୍କୁ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା। ପ୍ରତ୍ୟେକ ଦିନ ପାଖାପାଖି ୧୦ହଜାର ଘରୋଇ ବିଦ୍ୟୁତ୍‌ ସଂଯୋଗ କରାଯିବା ସହିତ ସମସ୍ତଙ୍କୁ ବିଦ୍ୟୁତ୍‌ ସେବା ଯୋଗାଣ ପ୍ରକ୍ରିୟା ଜାରି ରହିଛି ବୋଲି ବିଭାଗୀୟ ଅଧିକାରୀ ଅବଗତ କରାଇଥିଲେ। ଫନୀ କ୍ଷୟକ୍ଷତି ମୁକାବିଲା ପାଇଁ ଆବଶ୍ୟକ ଅର୍ଥ ସଂକ୍ରାନ୍ତରେ ଆଲୋଚନା କରିବା ସହ ଆଗାମୀ ବଜେଟ ଲାଗି ଚିଠା ପ୍ରସ୍ତୁତ କରିବା ଲାଗି ମନ୍ତ୍ରୀ ମିଶ୍ର ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ। ରାଜ୍ୟର ଶକ୍ତି ଚାହିଦା ଓ ଉତ୍ପାଦନ ସଂକ୍ରାନ୍ତରେ ପଚାରି ବୁଝିବା ପରେ ସୌର ଏବଂ ବାୟୋମାସ୍‌ ଉତ୍ସରୁ ଶକ୍ତି ଉତ୍ପାଦନ ଲାଗି ପ୍ରସ୍ତାବ ରଖିଥିଲେ। ସେହିପରି ଚିରସ୍ରୋତା ଜଳ ଉତ୍ସଗୁଡ଼ିକ ନିକଟରେ କିପରି କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକ କରାଯାଇପାରିବ ସେନେଇ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟୁତ୍‌ ଆଘାତରେ ମରୁଥିବା ହାତୀମାନଙ୍କୁ ସୁରକ୍ଷିତ ରଖିବା ଓ ଦୁର୍ଘଟଣା ଏଡାଇକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସରକାରଙ୍କ ଘୋଷଣାପତ୍ରରେ ଶକ୍ତି ବିଭାଗ ଲାଗି ଉଦ୍ଦିଷ୍ଟ ଲକ୍ଷ୍ୟକୁ କିପରି ହାସଲ କରିହେବ ସେନେଇ ପ୍ରସ୍ତୁତି ଆରମ୍ଭ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ଶକ୍ତିମନ୍ତ୍ରୀ ମିଶ୍ର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel