ଫନୀ ପ୍ରଭାବିତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୩.୮୯ ଲକ୍ଷ ଘର ଅନୁମୋଦନ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ଭାଙ୍ଗିଯାଇଥିବା ଲୋକଙ୍କୁ ଘର ଯୋଗାଇଦେବାକୁ ସରକାର ଘୋଷଣା କରିଥିଲେ। ସେହି ଅନୁଯାୟୀ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩.୮୯ଲକ୍ଷ ଘର ଦେବାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାୟ ୪୦ଲକ୍ଷ ହିତାଧିକାରୀ ଏଥିପାଇଁ ଆବେଦନ କରିଥିବା ଜଣାପଡିଛି। ଏଥିରୁ ବିଭିନ୍ନ ଜିଲା ପକ୍ଷରୁ ତାଲିକା ପ୍ରସ୍ତୁତ ହେବାସହ ତାକୁ ଯାଞ୍ଚ କରାଯାଇଛି। ଏହାସହ ଏସ୍‌ଇସିସି(ସୋସିଓ ଇକୋନୋମିକ କାଷ୍ଟ ସେନ୍‌ସସ୍‌) ତାଲିକେରେ ନାଁ ରହି ସରକାରୀ ଘର ପାଇ ନ ଥିବା ଏବଂ ତାଲିକାରେ ନାଁ ନ ଥିଲେ ମଧ୍ୟ ଘର ପାଇବାକୁ ଯୋଗ୍ୟ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯିବ।
ଏ ସମ୍ପର୍କରେ ଗତ ୧୯ ତାରିଖରେ ପଞ୍ଚାୟତିରାଜ ପ୍ରମୁଖ ସଚିବ ଦେଓରଞ୍ଜନ ସିଂ ସବୁ ଜିଲାପାଳ ଏବଂ ବିଡିଓମାନଙ୍କୁ ଚିଠି ଲେଖିଥିଲେ। ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଘର ଭାଙ୍ଗିଥିବା ଯୋଗ୍ୟ ହିତାଧିକାରୀଙ୍କ ସମସ୍ତ ସୂଚନା ଜିଓ ଟ୍ୟାଗିଂ କରି ଆଓ୍ବାସ ସାଇଟ୍‌ରେ ଅପ୍‌ଲୋଡ କରାଯାଉ। ଏହାସହ ତାଲିକାରୁ ବାଦ୍‌ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ସାମିଲ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ଯେଉଁ ପରିବାର ନାମ ୨୦୧୧ ଏସ୍‌ଇସିସି ତାଲିକାରେ ନାହିଁ ସେମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ। ଏହାସହ ଫନୀରେ ପ୍ରଭାବିତ ହୋଇଥିବା ପରିବାର ଗୁଡିକୁ ଚିହ୍ନଟ କରି ସେମାନଙ୍କୁ ଏ, ବି ଏବଂ ସି ତିନୋଟି ତାଲିକାଭୁକ୍ତ କରାଯାଉ। ସେହି ତାଲିକା ରାଜ୍ୟ ସରକାର ରୁରାଲ ହାଉସିଂ(ଆର୍‌ଏଚ) ପୋର୍ଟାଲରେ ସୂଚିତ କରାଯାଉ। ସେହି ତଥ୍ୟକୁ ଆର୍‌ଏଚ ପୋର୍ଟାଲରୁ ଆଓ୍ବାସ ପୋର୍ଟାଲକୁ ପଠାଇ ସେଭ୍‌ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବିଡିଓ ମାନଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଫନୀ ପ୍ରଭାବରେ ଅଧିକ କ୍ଷୟକ୍ଷତି ହୋଇଥିବା ଘରର ତାଲିକା ରାଜସ୍ବ ବିଭାଗ ଅଧିକାର ପ୍ରସ୍ତୁତ କରିବେ। ନଷ୍ଟ ହୋଇଯାଇଥିବା କଚ୍ଚା ଘର ବଦଳରେ ସେହି ପରିବାରକୁ ପ୍ରଧାନମନ୍ତ୍ରୀ ଆଓ୍ବାସ ଯୋଜନାରେ ସ୍ବତନ୍ତ୍ର ଘର ପ୍ରଦାନ କରାଯିବ। ପଞ୍ଚାୟତସ୍ତରରେ ତାଲିକା ପ୍ରସ୍ତୁତ କରିବା ପାଇଁ ଟିମ୍‌ ରହିବେ। ପ୍ରତି ବ୍ଲକରେ ଗୋଟିଏ ମାସ ପାଇଁ ୩ ଜଣ ଲେଖା ଡିଇଓ(ଡାଟା ଏଣ୍ଟ୍ରି ଅପରେଟର) ରହିବେ। ଯଦି କୌଣସି ବ୍ଲକରେ ଅଧିକ କାମ ରହେ ତେବେ ସେଠାରେ ଆହୁରି ଡିଇଓଙ୍କୁ ବିଡିଓ ନିଯୁକ୍ତ କରିବେ। ଗତ ୨୫ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଫନୀ ଦ୍ୱାରା ଭାଙ୍ଗିଥିବା ଘର ଦେବା ଲାଗି ସରକାର ଚୁଡାନ୍ତ ନିର୍ଦ୍ଦେଶାବଳୀ ଖୁବ୍‌ଶୀଘ୍ର ବାହାର କରିବେ ବୋଲି ଜଣାପଡିଛି।

Share