ଫନୀ ପ୍ରଭାବିତ କୃଷକଙ୍କୁ କୃଷି ସାମଗ୍ରୀ ବିତରଣ

ସାକ୍ଷୀଗୋପାଳ, ୮।୬(ଡି.ଏନ୍‌.ଏ): ବାତ୍ୟା ‘ଫନୀ’ ପ୍ରଭାବିତ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସଦାନନ୍ଦପୁର ଗ୍ରାମର ୩୭୦ ଜଣ କୃଷକଙ୍କୁ ମାଗଣାରେ ଶନିବାର କୃଷି ସମଗ୍ରୀ ବିତରଣ କରାଯାଇଛି। ପ୍ରାମାଣିକ ଧାନ ବିହନ, ସାର, କୀଟନାଶକ, ନଡ଼ିଆ ଓ କଦଳୀ ଚାରା ସହିତ ପନିପରିବା ମଞ୍ଜି ଯୋଗାଇ ଦିଆଯାଇଛି। ଭାରତ ସରକାରଙ୍କ ସାର, ରସାୟନ ଓ କୃଷି ବିଭାଗ ପକ୍ଷରୁ ବିଭିନ୍ନ ସାର ଉପ୍ତାଦକ କମ୍ପାନୀ ଏହି ସାମଗ୍ରୀ ଯୋଗାଇ ଦେଇଛନ୍ତି। ମୁଖ୍ୟଅତିଥି ଭାବେ କେନ୍ଦ୍ର ଫର୍ଟିଲାଇଜର ସଚିବ ଛବିଳେନ୍ଦ୍ର ରାଉଲ ଉପସ୍ଥିତ ରହି କୃଷକମାନେ ମନୋବଳ ଟାଣ ରଖିବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କ ନିକଟରେ ଉପଲବ୍ଧ ସମସ୍ତ ସହାୟତା ଯେପରି ପ୍ରଭାବିତ ଚାଷୀଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ସରକାରଙ୍କ ବିଭିନ୍ନ ବିଭାଗର ତତ୍ପରତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ତାଳଚେର ସାର କାରଖାନା ପୁନଃ ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ସଚିବ ରାଉଲ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଓୟୁଏଟିର ଭାଇସ ଚାନ୍‌ସେଲର ପଓ୍ବନ ଅଗ୍ରଓ୍ବାଲ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଇଣ୍ଟର ନ୍ୟାଶନାଲ ଫର୍ଟିଲାଇଜର ଆସୋସିଏଶନ ସଭାପତି ରାକେଶ କପୁର ପ୍ରମୁଖ ଏହି କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୁରୀ ଜିଲାର ୨୨ହଜାର ଚାଷୀଙ୍କୁ ମାଗଣାରେ କିଟ ଯୋଗାଇ ଦିଆଯିବ।

Share