Advertisement
Categories: ଗଞ୍ଜାମ

ଫନୀ ବିପନ୍ନଙ୍କ ପାଇଁ ସହାୟତା ଯୋଗାଡ଼ କଲା କନ୍ଧମାଳ ପୋଲିସ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୧ା୫(ଡି.ଏନ୍‌.ଏ.): ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, କଟକ, କେନ୍ଦ୍ରାପଡ଼ା ଆଦି ଜିଲାରେ ଫନୀ ବାତ୍ୟାରେ ବହୁ କ୍ଷୟକ୍ଷତି ହେବା ସହ ଲୋକଙ୍କ ଆର୍ଥତ୍କ ମାନଦଣ୍ଡ ଭାଙ୍ଗିପଡ଼ିଛି। ଏଥିପାଇଁ ଜିଲା ତଥା ଜିଲା ବାହାରୁ ବିଭିନ୍ନ ବର୍ଗରୁ ସହାୟତାର ହାତ ବଢ଼ାଯାଇଥିବାବେଳେ କନ୍ଧମାଳ ପୋଲିସ ମଧ୍ୟ ଏଥିରେ ଯୋଡ଼ି ହୋଇଛି। ଶୁକ୍ରବାର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ କର୍ମଚାରୀମାନେ ଲୋକଙ୍କଠାରୁ ସହାୟତା ଯୋଗାଡ଼ କରି ଶନିବାର ପୋଲିସ ଜିଲା ହେଡକ୍ୱାର୍ଟରକୁ ପଠାଇଛନ୍ତି। ସେଠାରୁ ସମସ୍ତ ଥାନାର ସହାୟତା ସାମଗ୍ରୀ ରାଜଧାନୀକୁ ଯିବ ବୋଲି ଜଣାପଡ଼ିଛି। କନ୍ଧମାଳ ଏସପି ପ୍ରତୀକ ସିଂଙ୍କ ପରାମର୍ଶକ୍ରମେ ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର  ଗୋପାଳକୃଷ୍ଣ ଆଗୁପାତ୍ର, ସୌମ୍ୟରଞ୍ଜନ ଜେନା, ଅନୀଲ କୁମାର ଦେବତା, ଏଏସ୍‌ଆଇ ଆର.ଭିମୋରାଓ ରେଡ୍ଡୀ, ହାବିଲଦାର ଗଜେନ୍ଦ୍ର ବିଶୋୟୀ ପ୍ରମୁଖ ଘର ଘର ବୁଲି ସହାୟତା ଯୋଗାଡ଼ କରିଥିଲେ। ଏଥିରେ ୧୭ ପ୍ୟାକେଟ୍‌ ଚାଉଳ ସମେତ ଗୋଟିଏ ପ୍ୟାକେଟ ଡାଲି, ୪ ପ୍ୟାକେଟ ଆଳୁ, ୧୫ କେଜି ଗୁଡ଼, ୫ କାଟୁନ ବିସ୍କୁଟ ସହ ନଗଦ ୨୨ ହଜାର ୭୫୦ ଟଙ୍କା ସହାୟତା ମିଳିଛି। ସେହିପରି ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ସବଇନ୍ସପେକ୍ଟର ସଂଗ୍ରାମ ଜେନା, ଏଏସ୍‌ଆଇ ପ୍ରମୋଦ ଦୀପ୍‌, ରାଇଟର ଶିବ ମଲ୍ଲିକ, ଗ୍ରାମର ଯୁବନେତା ବାବୁନି ପଣ୍ଡା, ବିରଞ୍ଚି ବିଶୋୟୀ ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇ ଚାଉଳ ସମେତ ଡାଲି, ଗୁଡ଼, ଚୁଡ଼ା ଏବଂ ନଗଦ ରାଶି ଯୋଗାଡ଼ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel