ଫନୀ ମୁକାବିଲା ନେଇ ଓଡ଼ିଶାର ପ୍ରସ୍ତୁତିକୁ ଅମିତ୍‌ ଶାହାଙ୍କ ପ୍ରଶଂସା

ଭୁବନେଶ୍ୱର,୪ା୧(ବ୍ୟୁରୋ): ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ଜାତିସଂଘ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଓଡିଶାର ପ୍ରସ୍ତୁତି ଉତ୍ତମ ବୋଲି ମାନିଛନ୍ତି। ଫନୀ ବାତ୍ୟା ପରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଫନୀ ପ୍ରସ୍ତୁତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଗୁରୁବାର ନାଗପୁରଠାରେ ଜାତୀୟ ଅଗ୍ନିଶମ ସେବା କଲେଜ(ଏନ୍‌ଏଫ୍‌ଏସ୍‌ସି)ର ନୂଆ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ୧୯୯୯ରେ ଓଡିଶାର ମହାବାତ୍ୟାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ନିକଟରେ ହୋଇଥିବା ଫନୀ ବାତ୍ୟାରେ ୬୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଓଡିଶା ସରକାରଙ୍କର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଯୁଗୋପଯୋଗୀ ହୋଇଥିବାରୁ ମୃତ୍ୟୁସଂଖ୍ୟା ବହୁ ମାତ୍ରାରେ ହ୍ରାସ କରାଯାଇ ପାରିଛି ବୋଲି ଶାହା କହିଛନ୍ତି। ଓଡିଶା ସରକାରଙ୍କ ପ୍ରସ୍ତୁତି ଯୋଗୁ ୧.୬ ନିୟୁତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିଥିଲା। ରାଜ୍ୟ ସରକାରଙ୍କ ବାତ୍ୟା ପୂର୍ବ ପ୍ରସ୍ତୁତି ଉଚ୍ଚମାନର ଥିବା ଯୋଗୁ ମୃତ୍ୟୁ ସଂଖ୍ୟାକୁ ବହୁମାତ୍ରାରେ ରୋକାଯାଇ ପାରିଥିଲା। ଏଥିପାଇଁ ପୂର୍ବରୁ ବହୁ ପ୍ରସ୍ତୁତି ଓଡିଶା ସରକାରଙ୍କୁ କରିବାକୁ ପଡିଛି । ଏଥିଯୋଗୁ ଗତ ଦଶନ୍ଧି ମଧ୍ୟରେ ଦେଶରେ ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ହାର ୧ ପ୍ରତିଶତରୁ କମ୍‌ ରହିଛି ବୋଲି ଶାହା କହିଥିଲେ।

Share