Categories: ରାଜ୍ୟ

ଫନୀ ଯିବାର ଦେଢ ମାସ ବିତିଲା : ସୁଧୁରିଲାନି ବିଦ୍ୟୁତ୍‌ ସମସ୍ୟା

ରଘୁନାଥପୁର, ୨୩। ୬ (ଡି.ଏନ.ଏ.): ବାତ୍ୟା ଫନୀ ଯିବାର ଦେଢ ମାସ ପରେ ମଧ୍ୟ ରଘୁନାଥପୁର ସେସୁ ବିଭାଗ ଅଧୀନରେ ଥିବା ବିଭିନ୍ନ ଗଁାରେ ବିଦ୍ୟୁତ୍‌ ସମସ୍ୟାରେ ସୁଧାର ଆସିନାହିଁ। ମେ ମାସ ସୁଦ୍ଧା ଖୁଣ୍ଟ ପକାଇ ତାର ଟାଣି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରାଯାଇଥିବା କୁହାଯାଇଥିଲା। ମାତ୍ର ଏବେ ମଧ୍ୟ ସବୁଦିନ ବିଦ୍ୟୁତ୍‌ ସମସ୍ୟା ଦେଖାଯାଉଛି। ଏହା ସାଧାରଣ ଜନତାଙ୍କ ଚିନ୍ତା ବଢାଇଥିବାବେଳେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାରବେଳେ ଅସ୍ଥାୟୀ କାମ ସମସ୍ୟାକୁ ଦ୍ୱିଗୁଣିତ କରିଛି। କେଉଁଠି ସାମାନ୍ୟ ପବନରେ ୧୧ କେଭି ତାର ଉପରେ ଗଛ ଡାଳ ପଡି ଟ୍ରିପ କରିଯାଉଛି ତ କେଉଁଠାରେ ମୌସୁମୀର ପ୍ରଥମ ବର୍ଷାରେ ମେନ୍‌ ଲାଇନ ଖୁଣ୍ଟ ଭୁଶୁଡି ପଡିଛି। ସେସୁର ଅପାରାଗତା ତଥା ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ରଘୁନାଥପୁର ଅଞ୍ଚଳବାସୀ ବିଦ୍ୟୁତ୍‌ ଜନିତ ସମସ୍ୟାରେ ଘାଣ୍ଟି ହେଉଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ଗୋପାଳପୁରଠାରୁ ୮ କିମି ବ୍ୟାପୀ ଖଣ୍ଡତରି ପର୍ଯ୍ୟନ୍ତ ୧୧ କେଭି ଲାଇନ ପାଇଁ ନୂତନ ଭାବେ ଏକ ଶହରୁ ଊର୍ଦ୍ଧ୍ୱ ଖୁଣ୍ଟ କଟକ-ପାରାଦୀପ ରାସ୍ତାପାର୍ଶ୍ୱରେ ପୋତା ଯାଇଥିଲା। କୌଣସି ସ୍ଥାନରେ ଖୁଣ୍ଟର ଭାର ରକ୍ଷା କରିବାକୁ ଷ୍ଟେ କିମ୍ବା ପୋତା ହୋଇଥିବା ଖୁଣ୍ଟକୁ କଂକ୍ରିଟ ଦିଆଯାଇ ମଜଭୁତ୍‌ କରାଯାଇ ନ ଥିଲା। ସେତେବେଳେ ଏ ସମ୍ପର୍କରେ ଜେଇ ଭବାନୀ ପ୍ରସାଦ ମହାନ୍ତିଙ୍କୁ ପଚାରିବାରେ, ପ୍ରଥମେ ଲୋକେ ଲାଇନ ପାଇଯାଆନ୍ତୁ ପରବର୍ତ୍ତୀ ସମୟରେ ଖୁଣ୍ଟ ମୂଳ କଂକ୍ରିଟ କରାଯିବ ବୋଲି କହିଥିଲେ। କିନ୍ତୁ ଖୁଣ୍ଟ ପୋତା ହେବାର ୨୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ଏହାର ସ୍ଥାୟୀ ପ୍ରତିକାର କରାଗଲାନାହିଁ। ଫଳରେ ମୌସୁମୀ ବର୍ଷା ହେବାର ଦିନକ ପରେ ଖୁଣ୍ଟ ମୂଳରେ ପାଣି ପଶି ତାହା ଦୋହଲୁଛି। ଏପରି କି ଅଚ୍ଛୁତପୁରଠାରେ ଦୁଇଟି ସିମେଣ୍ଟ ଖୁଣ୍ଟ ଶୁକ୍ରବାର ରାତିରେ ରାସ୍ତାପାର୍ଶ୍ୱକୁ ଶୋଇପଡିଛି। ଫଳରେ ତାରପୁର ଓ ଚିକିଣିଆ ପଞ୍ଚାୟତରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇପଡିଥିଲା। ଅନ୍ୟପକ୍ଷରେ ଆହୁରି ଅନେକ ସିମେଣ୍ଟ ଖୁଣ୍ଟ ନିମ୍ନଭାଗ ମଜଭୁତ ନ ଥିବାରୁ ରାସ୍ତାର ବିଭିନ୍ନ ପାର୍ଶ୍ୱକୁ ଢଳିଲା ପରି ରହିଛି। ଏହା ପଥଚାରୀଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଏକଜିକ୍ୟୁଟିଭ ଇଞ୍ଜିନିୟର ଜଗଦିଶ ଚନ୍ଦ୍ର ସାହୁଙ୍କୁ ପଚାରିବାରେ ବର୍ତ୍ତମାନ ସେଠାରେ କାମ କରୁଥିବା ଲୋକ ବିରିଡି ସାଇଡରେ କାମ କରୁଛନ୍ତି। ଏସ୍‌ଡିଓଙ୍କୁ କହି ସେଗୁଡିକର ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ତୁରନ୍ତ ସ୍ଥାୟୀ ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍‌ ଜନିତ ସମସ୍ୟାର ସୁଧାର ଆଣିବା ପାଇଁ ଉପଭୋକ୍ତାଙ୍କ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Share