ଫର୍ଜନା ଏବେ ସ୍ବପ୍ନାରାଣୀ

ତିହିଡ଼ି, ୧୬।୭ (ଡି.ଏନ.ଏ.) – ଭଲପାଇବା ମାନେନି ଜାତିଭେଦ କି ସାମାଜିକ ବନ୍ଧନ। ପ୍ରଶାନ୍ତ ଓ ଫର୍ଜନା ଏହା ବିରୋଧରେ ସାହସର ସହ ଲଢ଼ି ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିଛନ୍ତି। ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅ ଫର୍ଜନା ସାଜିଛନ୍ତି ‘ସ୍ବପ୍ନାରାଣୀ’, ଏକ ଓଡ଼ିଆ ଘରର ବୋହୂ। ସୋମବାର ଭଦ୍ରକ ଜିଲା ତିହିଡ଼ି ଥାନା ଭାଟପଡ଼ାସ୍ଥିତ ତାରିଣୀଙ୍କ ମନ୍ଦିରରେ ସେମାନଙ୍କ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ନା ଫୁଟିଥିଲା ବାଣ ନା ଆସିଥିଲା ବର ଶୋଭାଯାତ୍ରା। ମନ୍ଦିର ରୀତିନୀତି ଅନୁଯାୟୀ ନାମ ପଞ୍ଜୀକରଣ ପରେ ବରକନ୍ୟା ବେଦିରେ ବସିଥିଲେ। ପ୍ରଥମେ ପ୍ରେମୀଯୁଗଳଙ୍କୁ ସଂସ୍କାର କରାଯାଇ ହିନ୍ଦୁଧର୍ମକୁ ଅଣାଯାଇଥିଲା। ପରେ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ଆର୍‌ଏସ୍‌ଏସ୍‌ର କିଶୋର ନାୟକ କନ୍ୟାପିତା ଏବଂ ବର ପ୍ରଶାନ୍ତଙ୍କ ମା’ କନକଲତା ମହାଳିକ ବିବାହ ଦାୟିତ୍ୱ ତୁଲାଇଥିଲେ। ବିଶ୍ୱହିନ୍ଦୁ ପରିଷଦର ଭୁବନାନନ୍ଦ ମିଶ୍ର, ଯଯାତି ଦାସ, ରଘୁନାରାୟଣ ନାୟକ, ଜଗନ୍ନାଥ ବେହେରା, ରତିକାନ୍ତ ଦାସ, ବୈଦ୍ୟନାଥ ସେନାପତି ଓ ବଜରଙ୍ଗ ଦଳର ଜୟପ୍ରକାଶ ପତି ପ୍ରମୁଖ ଏଥିରେ ସହଯୋଗ କରିଥିଲେ।
ପ୍ରଶାନ୍ତଙ୍କ ଘର ତିହିଡ଼ି ଥାନା ଅଧୀନ ବାରୋ ଗ୍ରାମରେ। ସେ କେନ୍ଦ୍ରାପଡ଼ା ଜିଲାର ମନକରପୁର ଗ୍ରାମଠାରୁ କିଛି ଦୂରରେ ଏକ ସ୍କୁଲ ଖୋଲି ପିଲାଙ୍କୁ ଶିକ୍ଷା ଦେଉଥିଲେ। ସେହି ସ୍କୁଲରେ ମନକରପୁର ଅଞ୍ଚଳର ଫର୍ଜନା ଆଜମୀ କର୍ମଚାରୀ ଭାବେ କାମ କରୁଥିଲେ। ୩ ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଏ ବିଷୟରେ ପରିବାର ଲୋକେ ଜାଣିବା ପରେ ସେମାନଙ୍କୁ କଡ଼ା ବିରୋଧ କରିଥିଲେ। ଏଥିଲାଗି ଫର୍ଜନାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ସହିବାକୁ ପଡ଼ିଥିଲା। ଶେଷରେ ପ୍ରେମୀଯୁଗଳ କେନ୍ଦ୍ରାପଡ଼ା ଛାଡ଼ି ଟାଟା ଚାଲି ଯାଇଥିଲେ। ସେଠାରେ ୧୫ ଦିନ ରହିବା ପରେ ଭଦ୍ରକ ଫେରିଆସି ଏକ ଭଡ଼ାଘର ନେଇ ରହୁଥିଲେ। ପରେ ଫର୍ଜନା ଏକ ପୁତ୍ରସନ୍ତାନର ଜନନୀ ହୋଇଥିଲେ। ପ୍ରଶାନ୍ତଙ୍କୁ ପରିବାର ଲୋକେ ବିରୋଧ କରୁଥିବାରୁ ଘରକୁ ଯିବା ଲାଗି ଛାଡ଼ି ନ ଥିଲେ। ଏଭଳି ସ୍ଥିତିରେ ପ୍ରଶାନ୍ତ ୧୫ ଦିନ ତଳେ ତିହିଡ଼ିର ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସହଯୋଗ କରିବାକୁ ନିବେଦନ କରିଥିଲେ। ପରିଶେଷରେ ପରିଷଦର କର୍ମକର୍ତ୍ତା ତିହିଡ଼ି ଥାନା ଭାଟପଡ଼ାସ୍ଥିତ ତାରିଣୀ ମନ୍ଦିରରେ ସ୍ବପ୍ନାରାଣୀ ଓ ପ୍ରଶାନ୍ତଙ୍କ ବିବାହ କରାଇବାକୁ ସ୍ଥିର କରିଥିଲେ।

Share