Categories: ଖେଳ

ଫର୍ନାଣ୍ଡୋ ଟୋରେସଙ୍କ ଅବସର

ମାଡ୍ରିଡ୍‌,୨୧।୬- ପୂର୍ବତନ ଫିଫା ବିଶ୍ୱକପ୍‌ ଚାମ୍ପିୟନ ସ୍ପେନ ଦଳର ସଦସ୍ୟ ଫର୍ନାଣ୍ଡୋ ଟୋରେସ ଫୁଟ୍‌ବଲରୁ ଶୁକ୍ରବାର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ସ୍ପାନିଶ ଖେଳାଳିଙ୍କ ୧୮ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତ ହୋଇଛି। ମୋର କିଛି ଘୋଷଣା କରିବାର ଅଛି। ଦୀର୍ଘ ୧୮ ବର୍ଷ ପରେ ଫୁଟ୍‌ବଲ କ୍ୟାରିୟରର ଅନ୍ତ କରିବାର ସମୟ ଆସିଯାଇଛି। ଆସନ୍ତା ରବିବାର ଦିନ ୧୦ ଟା ବେଳେ ଜାପାନର ଟୋକିଓଠାରେ ଖବରାଦାତା ସମ୍ମିଳନୀରେ ସମ୍ପୂର୍ଣ୍ଣ ତଥ୍ୟ ଦେବି ବୋଲି ଟୁଇଟରରେ ଶେୟାର କରିଥିବା ଏକ ଭିଡିଓରେ କହିଛନ୍ତି। ଆଟଲେଟିକୋ ମାଡ୍ରିଡ୍‌ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ଗୋଲ କରିଛନ୍ତି। ପ୍ରିମିୟର ଲିଗ୍‌ ଲିଭରପୁଲ ଓ ଚେଲସି ଲାଗି ମଧ୍ୟ ସେ ଖେଳିଥିଲେ। ଜାପାନର ସାଗାନ ଟସୁ ପକ୍ଷରୁ ଖେଳିବା ନିମନ୍ତେ ଆଟଲେଟିକୋ ଛାଡ଼ିଥିଲେ। ହେଲେ ଉକ୍ତ କ୍ଲବ ଲାଗି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ୨୦୦୩ରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଟୋରେସ ୨୦୦୮ ୟୁରୋପିଅନ ଚାମ୍ପିୟନଶିପ୍‌ରେ ଜର୍ମାନୀ ବିପକ୍ଷ ଫାଇନାଲରେ ଅନ୍ତିମ ଗୋଲ ଦେଇଥିଲେ। ଏହାପରେ ତାଙ୍କ ପ୍ରତିନିଧିତ୍ୱରେ ସ୍ପେନ ୨୦୧୦ ଫିଫା ବିଶ୍ୱକପ୍‌ ଜିତିଥିଲା। ସେ ୟୁରୋ ୨୦୧୨ କପ୍‌ରେ ସର୍ବାଧିକ ଗୋଲ କରିଥିଲେ। ଦେଶ ପକ୍ଷରୁ ୧୧୦ ମ୍ୟାଚ୍‌ ଖେଳି ମୋଟ ୩୮ ଗୋଲ କରିଛନ୍ତି। ସର୍ବାଧିକ ଅନ୍ତର୍ଜାତୀୟ ଗୋଲ କରିଥିବା ସ୍ପାନିଶ ଖେଳାଳିଙ୍କ ମଧ୍ୟରେ ସେ ୩ୟ ସ୍ଥାନରେ ରହିଛନ୍ତି।

Share