Categories: ଫୁରସତ

ଫର୍ନିଚର ଆକାରର ଗଛ ଲଗାଉଛନ୍ତି ଏହି ଦମ୍ପତି, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଇଂଲଣ୍ଡ : କିଛି ଗଛ ଅଦ୍ଭୁତ ଆକାରର ଥିବା ବେଳେବେଳେ ନଜରକୁ ଆସିଥାଏ। କିନ୍ତୁ ଏପରି ଅଦ୍ଭୁତ ଗଛ ଲଗାଇବାରେ ରୁଚି ରଖିଥିବା ଲୋକ ବୋଧହୁଏ କମ୍‌ ଅଛନ୍ତି। ଇଂଲଣ୍ଡର ଦମ୍ପତି ଗେବିନ୍‌ ଏବଂ ଏଲିସ୍‌ ମୁନ୍‌ରୋ ଏମିତି କିଛି ଗଛ ଲଗାଇଛନ୍ତି ଯାହା ଦେଖିବାକୁ ଫର୍ନିଚର ଆକାରର। ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ ଚୌକି, ୧୦୦ ଲ୍ୟାମ୍ପ୍‌ ଏବଂ ୫୦ ଟେବୁଲ୍‌ ଆକାରର ଗଛ କରି ସାରିଲେଣି।

ଗେବିନ୍‌ କୁହନ୍ତି, ଏପରି ରୂପ ଦେବା ପାଇଁ ବାରମ୍ବାର ଗଛର ଡାଳଗୁଡ଼ିକୁ କାଟିବାକୁ ପଡ଼େ। ୫୦ ବର୍ଷର ପୁରୁଣା ଗଛକୁ କାଟି ଏହାର ଏକ ଅଂଶରେ ସୁନ୍ଦର ସୁନ୍ଦର ଫର୍ନିଚର ପରି ଶେପ୍‌ ଦେଉଛନ୍ତି। ସେ କୁହନ୍ତି, ଏକ ବୋନ୍‌ସାଇ ଗଛ ଏପରି ବଢ଼ିଗଲା ଯେ, ଏହା ଚେୟାର ପରି ଦେଖାଗଲା। ଏମିତି ଦେଖି ତାଙ୍କର ଗଛଗୁଡ଼ିକୁ ଏପରି ରୂପ ଦେବାରେ ଉତ୍ସାହ ବଢ଼ିଗଲା। ସେ କୁହନ୍ତି, ଗଛ ଛୋଟ ଥିବାବେଳେ ଏହାର ଶାଖାଗୁଡ଼ିକ ମୋଡ଼ି ହୋଇଥାଏ। ତେଣୁ ଏହାକୁ ମେଟାଲ ଫ୍ରେମ୍‌ ଦେଇ ରଖିବାକୁ ପଡ଼େ।

୨୦୦୬ରୁ ଗେବିନ୍‌ ଏହି ପ୍ରକ୍ରିୟା ଜାରି ରଖିଛନ୍ତି। ୨୦୧୨ରେ ତାଙ୍କର ବିବାହ ପରେ ସ୍ତ୍ରୀଙ୍କ ସହ ମିଶି ଏପରି ଗଛ ଲଗାଇ ଆସୁଛନ୍ତି। ଏପରି ଗଛ ଲଗାଇ ଦମ୍ପତି ଏବେ ଭଲ ରୋଜଗାର କରୁଛନ୍ତି। ଏକ ବଡ଼ ଫାର୍ମ କରି ସେଥିରେ ଭିନ୍ନ ଭିନ୍ନ ଶେପ୍‌ର ଗଛ ଲଗାଇଛନ୍ତି। ଗୋଟିଏ ଚୌକି ୮ ଲକ୍ଷରୁ ଊର୍ଦ୍ଧ୍ୱରେ ବିକ୍ରି ହେଉଥିବାବେଳେ ଲ୍ୟାମ୍ପ୍‌ର ଦାମ୍‌ ୮୦ ହଜାର ଏବଂ ବେଡ୍‌ର ଦାମ ୧୧ ଲକ୍ଷ ରହିଛି।

ଗୋଟିଏ ଗଛକୁ ଚେୟାର ରୂପ ଦେବା ପାଇଁ ୬ରୁ ୯ ମାସ ଲାଗିଥାଏ। ଏହି ଦମ୍ପତି ତାଙ୍କର କଳାକୁ ସାରା ବିଶ୍ୱରେ ପରିଚିତ କରାଇବା ଲାଗି ଚେଷ୍ଟା ଜାରି ରଖିଛନ୍ତି।

Share