ଫର୍ନେସ୍‌ରେ ପୋଡ଼ି ଗୁରୁତର ଶ୍ରମିକଙ୍କ ମୃତ୍ୟୁ

ଭଦ୍ରକ ଅଫିସ, ୨୩।୪: ଭଦ୍ରକ ରାନ୍ଦିଆସ୍ଥିତ ଫେକର କମ୍ପାନୀ ଫର୍ନେସ୍‌ରେ ପୋଡ଼ି ଗୁରୁତର ଥିବା ଶ୍ରମିକଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ହୋଇଛି। ମୃତକ ବରପଦାର ବିଜୟ ମହାପାତ୍ର। ଗତ ରବିବାର ରାତିରେ ଅନ୍ୟ ଗୁରୁତର ରତିକାନ୍ତଙ୍କ ମୃତ୍ୟୁ ହୋଇଥିଲା।
ଗତ ୧୧ ତାରିଖରେ କମ୍ପାନୀ ଫର୍ନେସ ଚାର୍ଜିଂ ବେଳେ ରାନ୍ଦିଆ କୋରଣ୍ଟ ଗ୍ରାମର ରତିକାନ୍ତ ସୂତାର ଓ ବରପଦାର ବିଜୟ ମହାପାତ୍ର ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ। ସେମାନଙ୍କୁ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ନିଆଯାଇଥିଲା। ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ମନୋଜ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ କମ୍ପାନୀର ୨ ଶହ ମିଟର ଅଞ୍ଚଳରେ ଶନିବାର ପୂର୍ବାହ୍ନ ୬ ଟାରୁ ୨୫ ଏପ୍ରିଲ ପୂର୍ବାହ୍ନ ୬ ଟା ପର୍ଯ୍ୟନ୍ତ ୧୪୪ ଧାରାକୁ ବଳବତ୍ତର କରାଯାଇଛି। ଅନପକ୍ଷେ ୨ କର୍ମଚାରୀଙ୍କ ମୃତ୍ୟୁ ପରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା, ଯୋଗ୍ୟ ଉତ୍ତରାଧିକାରୀଙ୍କୁ ଚାକିରି ଓ କାରଖାନାରେ କର୍ମଚାରୀଙ୍କ ନିରାପତା ଦିଗରେ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ବୈଠକରେ ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଟୁପାଲି, କମ୍ପାନୀର ସିଇଓ, ଏଚ୍‌ଆର୍‌ ମୁଖ୍ୟ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ।