Categories: ଖେଳ

ଫର୍ମୁଲା ଓ୍ବାନ୍‌ ଆୟୋଜନରୁ ଓହରିବନି ମେକ୍ସିକୋ ସିଟି

ମେକ୍ସିକୋ ସିଟି, ୯ା୮ (ଏଏଫ୍‌ପି)- ମେକ୍ସିକୋ ସିଟି ୨୦୨୨ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ କାର୍‌ ରେସ୍‌ ଗ୍ରାଁ ପ୍ରି ଆୟୋଜନ ଜାରି ରଖିବ। ଶୁକ୍ରବାର ଇଣ୍ଟରନ୍ୟାଶନାଲ ମୋଟରିଙ୍ଗ ଫେଡେରେଶନ (ଏଫ୍‌ଆଇଏ) ସହିତ ଏକ ଚୁକ୍ତି ସ୍ବାକ୍ଷର ହେବା ପରେ ଏହା ସ୍ପଷ୍ଟ ହୋଇଛି। ଭବିଷ୍ୟତରେ ମେକ୍ସିକାନ ଗ୍ରାଁ ପ୍ରି ଆୟୋଜିତ ହେବ କି ନା ସେ ନେଇ କିଛି ମାସ ହେଲା ଅନିଶ୍ଚିତା ଦେଖାଦେଇଥିଲା। ନୂଆ ଚୁକ୍ତି ଅନୁସାରେ ପ୍ରତିଯୋଗିତାରେ ସରକାରୀ ଅର୍ଥ ବ୍ୟୟ ହେବନାହିଁ। ମେକ୍ସିକୋ ସିଟି ମେୟର କ୍ଲାଉଡିଆ ଶିନବେମ୍‌ ଏକ ଖବରଦାତା ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି। ମେକ୍ସିକାନ ଫର୍ମୁଲା ଓ୍ବାନ ପରିସଚଳାନା କରୁଥିବା କମ୍ପାନୀ ସିଆଇଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଲେଜାଣ୍ଡ୍ରୋ ସୋବେରନ କହିଛନ୍ତି, ଇଭେଣ୍ଟର ୨୦୨୦ ରୁ ୨୦୨୨ ସଂସ୍କରଣ ପର୍ଯ୍ୟନ୍ତ ଘରୋଇ ପୁଞ୍ଜି ବିନିଯୋଗ ସହ ‘ନ୍ୟୁ ଫାଇନାନ୍‌ସିଙ୍ଗ ମଡେଲ୍ସ’ ସହାୟତା ନିଆଯିବ। କେଉଁମାନେ ପୁଞ୍ଜି ବିନିଯୋଗ କରିବେ ସେ ସମ୍ପର୍କରେ କିନ୍ତୁ ଅଫିସିଆଲମାନେ କୌଣସି ସୂଚନା ଦେଇ ନାହାନ୍ତି। ତେବେ ସ୍ଥାନୀୟ ଏକ ଖବରକାଗଜ ରିପୋର୍ଟ ଅନୁସାରେ ଟେଲିକମ କମ୍ପାନୀ ପରିଚାଳନା କରୁଥିବା ମେକ୍ସିକୋର ସବୁଠାରୁ ଧନୀ ବ୍ୟକ୍ତି କାର୍ଲୋସ ସ୍ଲିମ ଏବଂ କୋକା-କୋଲା, ହିନେକେନ୍‌ ଏବଂ ସିଟିବାନାମେକ୍ସ ଭଳି କମ୍ପାନୀ ପୁଞ୍ଜି ଖଟାଇବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।

Share