ଫର୍‌ହାନଙ୍କ ଠେଲାରୁ ଗୁପ୍‌ଚୁପ୍‌ ଖାଇଲେ ପ୍ରିୟଙ୍କା !

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ନିଜର ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ର ପ୍ରମୋଶନରେ ବ୍ୟସ୍ତ। ଚଳିତ ସପ୍ତାହରେ ତାଙ୍କୁ ଲୋକପ୍ରିୟ କମେଡି ଶୋ’ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ଦେଖିବାକୁ ମିଳିବ। ଫିଲ୍ମରେ ନାୟକ ସାଜିଥିବା ଫରହାନ ଅଖ୍‌ତର ଏବଂ ରୋହିତ ସରାଫ ମଧ୍ୟ ତାଙ୍କ ସହ ରହିବେ। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଫରହାନ୍‌ଙ୍କ ଗୁପ୍‌ଚୁପ୍‌ ଠେଲାରୁ ପ୍ରିୟଙ୍କା ଗୁପ୍‌ଚୁପ୍‌ ଖାଉଥିବା ଦେଖିବାକୁ ମିଳୁଛି। ଫରହାନ୍‌ ବେକରେ ଗାମୁଛା ପକାଇ ଗୁପ୍‌ଚୁପ୍‌ ବିକାଳି ଭଳି ପ୍ରିୟଙ୍କା ଏବଂ କପିଲଙ୍କୁ ଗୁପ୍‌ଚୁପ୍‌ ଦେଉଛନ୍ତି। ଉଭୟ ଏହାର ମଜା ଉଠାଉଥିବା ଜଣାପଡ଼ୁଛି।

ତେବେ କେବଳ ଗୁପ୍‌ଚୁପ୍‌ ନୁହେଁ କାର୍ଯ୍ୟକ୍ରମ ପାଇଁ ପ୍ରିୟଙ୍କା ପିନ୍ଧିଥିବା ଶାଢ଼ି ମଧ୍ୟ ଚର୍ଚ୍ଚାରେ ରହିଛି। ଲାଲ ରଙ୍ଗର ଶାଢ଼ିରେ ପ୍ରିୟଙ୍କା ବେଶ ସୁନ୍ଦର ଲାଗୁଛନ୍ତି। ଯାହାକୁ ଦେଖି ସ୍ବାମୀ ନିକ୍‌ ମଧ୍ୟ ତାଙ୍କର ପ୍ରଶଂସା ନ କରି ରହିପାରିନାହାନ୍ତି। ସେ ନିଜର ଇନ୍‌ଷ୍ଟା ଷ୍ଟୋରୀରେ ତାଙ୍କର ଏକ ଫଟୋ ଶେୟାର କରି ଖୁବ୍‌ ସୁନ୍ଦର ବୋଲି ଲେଖିଥିଲେ।

Share