ଫଲ୍ସ୍‌ ନେଗେଟିଭ୍‌ ବ୍ୟକ୍ତି: କରୋନା ଲଢ଼େଇରେ ସାଜିଛନ୍ତି ସୁପର ସ୍ପ୍ରେଡର !

ନୂଆଦିଲ୍ଲୀ,୧୪।୪: ଭାରତରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ଉଦ୍ୟମ ଜାରି ରହିଛି। କରୋନା ଲକ୍ଷଣ ଦେଖାଦେଉଥିବା ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ତେବେ କେତେକଙ୍କ କ୍ଷେତ୍ରରେ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଉ ନାହିଁ। ଏପରି ବ୍ୟକ୍ତିଙ୍କୁ ଫଲ୍ସ୍‌ ନେଗେଟିଭ୍‌ କୁହାଯାଉଛି। ଭାରତର କରୋନା ଲଢ଼େଇରେ ଫଲ୍ସ୍‌ ନେଗେଟିଭ୍‌ ବ୍ୟକ୍ତି ସମସ୍ୟା ସୃଷ୍ଟି କରୁଥିବା କୁହାଯାଉଛି। ଫଲ୍ସ୍‌ ନେଗେଟିଭ୍‌ଙ୍କ ଯୋଗୁ ସାରା ପୃଥିବୀରେ ମଧ୍ୟ ସମସ୍ୟା ଦେଖାଦେଉଛି। ଏଭଳି ବ୍ୟକ୍ତିଙ୍କ ଯାଞ୍ଚ୍‌ ରିପୋର୍ଟ ନେଗେଟିଭ୍‌ ଆସିଥାଏ। ଫଳରେ ସେମାନଙ୍କୁ କ୍ୱାରାଣ୍ଟାଇନ ଅବା ଆଇସୋଲେଶନ ରଖାଯାଇ ନ ଥାଏ। ଫଲ୍ସ୍‌ ନେଗେଟିଭ୍‌ମାନେ ପରବର୍ତ୍ତୀ ସମୟରେ ସୁପର ସ୍ପ୍ରେଡର ହୋଇଥାନ୍ତି। କରୋନା ଭୂତାଣୁ ଅଳ୍ପ କିଛି ମାସ ଧରି ସଂକ୍ରମଣ ଜାରି ରଖିଥିବାରୁ ଏହା ଭିନ୍ନ ଭିନ୍ନ ପରିବେଶରେ କିଭଳି ଆଚରଣ କରୁଛି ସେନେଇ ଶତପ୍ରତିଶତ ଭାବେ ନିଶ୍ଚିତ ହୋଇ କୌଣସି ମତାମତ ଦିଆଯାଇ ପାରୁ ନ ଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ସେହିପରି ରିପୋର୍ଟରେ ମଧ୍ୟ ଏଭଳି ସମସ୍ୟା ଦେଖାଦେଉଛି। କିଛିଦିନ ତଳେ ମୁମ୍ବାଇରେ ଜଣେ ଡାକ୍ତରଙ୍କୁ କାଶ ହୋଇଥିଲା। ଏହାପରେ ଜ୍ୱର ମଧ୍ୟ ଆସିଥିଲା। ସେ କସ୍ତୁରବା ହସ୍ପିଟାଲରେ ନମୁନା ପରୀକ୍ଷା କରାଇଥିଲେ। ଏହା ନେଗେଟିଭ୍‌ ଆସିବା ପରେ ସେ ଆଶ୍ୱସ୍ତ ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଡାକ୍ତରଙ୍କୁ କରୋନା ପଜିଟିଭ୍‌ ଭାବେ ଚିହ୍ନଟ କରାଯାଇଥିଲା। ଏହି ସମୟ ମଧ୍ୟରେ ଡାକ୍ତର ବିଭିନ୍ନ ଲୋକଙ୍କ ସହିତ ସାକ୍ଷାତ୍‌ କରିଥିଲେ। ନିଜ ଅଜାଣତରେ ଡାକ୍ତର ଜଣେ ସୁପର ସ୍ପ୍ରେଡର ସାଜିଥିଲେ। ଏହାକୁ ଦୃଷ୍ଟିରେ ରଖି କରୋନା ଭୂତାଣୁ ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରାଯାଉଛି। ଆଗାମୀ ଦିନରେ ଏଭଳି ସମସ୍ୟାର ମୁକାବିଲା କରାଯାଇପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share