ଫଳକରେ ସୀମିତ ରକ୍ତ ପୃଥକୀକରଣ ୟୁନିଟ୍‌

ବରଗଡ଼ ଅଫିସ୍‌,୧୪।୭ – ରକ୍ତ ବିନା ଜୀବନ ଅସମ୍ଭବ । ରକ୍ତହୀନତା ତଥା ରକ୍ତ ଅଭାବ ଯୋଗୁ ବହ ପ୍ରାଣହାନି ଘଟୁଛି । ରକ୍ତ ଅଭାବ ସମସ୍ୟା ଏଡ଼ାଇବା ସହିତ ଲୋକଙ୍କ ଜୀବନ ରକ୍ଷା ଲକ୍ଷ୍ୟ ନେଇ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ରକ୍ତ ପୃଥକୀକରଣ ୟୁନିଟ୍‌ ଖୋଲାଯାଇଛି। ଗତବର୍ଷ ଅକ୍ଟୋବର ୫ତାରିଖରେ ଉକ୍ତ ୟୁନିଟ୍‌ ଉଦଘାଟିତ ହୋଇଛି ଏବଂ ସରକାରୀ ଉଦାସୀନତା ତଥା ଇଚ୍ଛାଶକ୍ତି ଅଭାବରୁ ଏହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଉଦଘାଟନୀ ଫଳରେ ସୀମିତ ରହିଯାଇଛି ଏହି ରକ୍ତ ପୃଥକୀକରଣ ୟୁନିଟ୍‌ । ଅନ୍ୟପଟେ ଏଥିପାଇଁ ନିର୍ମିତ ରକ୍ତ ପୃଥକୀକରଣ ପ୍ରକୋଷ୍ଠରେ ପ୍ରାୟ ୭୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଆବଶ୍ୟକ ଯନ୍ତ୍ରପାତିର ବ୍ୟୟ ଅଟକଳ ମଧ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟପିବ । କିନ୍ତୁ ଏହି ୟୁନିଟ୍‌ରେ ଆଉ ଏକ ଆବଶ୍ୟକ ମେଶିନ (ପ୍ଲାଟିଲେଟ୍‌ ଏଜିଟେଟର୍‌) ଲାଗି ପାରି ନ ଥିବାରୁ ଯୋଗୁ ଉଦଘାଟନର ୯ମାସ ବିତିଯାଇଥିଲେ ସୁଦ୍ଧା ରକ୍ତ ପୃଥକୀକରଣ ୟୁନିଟ୍‌ ଆରମ୍ଭରୁ ଅଚଳ ହୋଇ ପଡ଼ିରହିଛି । ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସାଧୁଚରଣ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ସେହି ମେଶିନ ରାଜ୍ୟ ସରକାର ଯୋଗାଇବେ । ସେଥିପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ମଧ୍ୟ ଲେଖାଯାଇଛି । ତାହା ଆସିଲେ ଏହି ୟୁନିଟ୍‌ ଚାଲୁ ହୋଇଯିବ ବୋଲି ଡା. ଦାଶ କହିଥିଲେ ।