ଫଳ ଗୋଦାମ, ଦୋକାନରେ ସିଏମ୍‌ସିର ଚଢାଉ: ଯାଞ୍ଚ ପାଇଁ ଲିଚୁକୋଳିର ନମୁନା ସଂଗ୍ରହ

କଟକ ଅଫିସ,୨୦ା୬: ବିହାରରେ ମସ୍ତିଷ୍କ ଜ୍ୱରରେ ଶତାଧିକ ଶିଶୁଙ୍କ ଜୀବନହାନି ଘଟିଛି। ହେଲେ ଏହା ପଛର କାରଣ ସ୍ପଷ୍ଟ ହୋଇ ନ ଥିଲେ ସୁଦ୍ଧା ଲିଚୁରେ ଥିବା ଟକ୍ସିକ୍‌ ଏଲିମେଣ୍ଟକୁ ଅନେକ ବିଶେଷଜ୍ଞ ଦାୟୀ କରୁଛନ୍ତି। ଏନ୍‌ସେଫାଲାଇଟିସ ଲିଚୁରେ ବ୍ୟାପିଥିବା କୁହାଯାଉଛି। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଓଡ଼ିଶାରେ ଏହି ରୋଗ ବ୍ୟାପିବା ପୂର୍ବରୁ କିଭଳି ରୋକାଯାଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି। ତେବେ ଏହି ଭୂତାଣୁ ଲିଚୁକୋଳିରେ ଆସୁଥିବା ସନ୍ଦେହ କରାଯିବା ପରେ ବୁଧବାର ସିଏମ୍‌ସିର ସ୍ବାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରରେ ଥିବା ବିଭିନ୍ନ ଫଳଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା। ତେବେ କୌଣସି ବ୍ୟବସାୟୀଙ୍କଠାରୁ ଲିଚୁକୋଳି ଜବତ କରାଯାଇ ନ ଥିଲେ ମଧ୍ୟ ସେଥିମଧ୍ୟରୁ କିଛି କୋଳିର ନମୁନା ଯାଞ୍ଚ ପାଇଁ ସଂଗ୍ରହ କରାଯାଇଛି। ସାବିତ୍ରୀ ବ୍ରତ ପୂର୍ବରୁ ସହରକୁ ବହୁ ପରିମାଣରେ ଲିଚୁକୋଳି ବିକ୍ରି ପାଇଁ ଆସିଥିଲା। ମାତ୍ର ଏନ୍‌ସେଫାଲାଇଟିସ ଲିଚୁରେ ବ୍ୟାପିଥିବା ପ୍ରଚାର ହେବାପରେ ବୁଧବାର ହଠାତ ସହରରୁ ଲିଚୁକୋଳି ଉଭାନ ହୋଇଯାଇଥିବା ଦେଖିବାକୁ ମିଳିଛି।
ଏ ନେଇ ସିଏମ୍‌ସି କମିଶନର ଶରତ ଚନ୍ଦ୍ର ନାୟକ କୁହନ୍ତି, ବିଭିନ୍ନ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ ଲିଚୁକୋଳି ନମୁନା ସଂଗ୍ରହ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୪/୫ଦିନ ଧରି ଚାଲିବ। କୌଣସି ବ୍ୟବସାୟୀଙ୍କ ଲିଚୁ ଜବତ କରାଯିବ ନାହିଁ। କେବଳ ନମୁନା ସଂଗ୍ରହ କରାଯାଇ ଯାଞ୍ଚ ନିମନ୍ତେ ଲାବରେଟୋରିକୁ ପଠାଯିବ। ଏଥିପାଇଁ ସିଏମ୍‌ସିର ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

Share