ଫସର ଫାଟିଲା ଯୋଜନା: ପିସିସି ସଭାପତି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କହିଲେ ଜିତେନ୍ଦ୍ର ସିଂହ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନକୁ ନେଇ କିଛି ଦିନ ତଳେ କଂଗ୍ରେସର କିଛି ନେତା ଏକାଠି ହୋଇଥିଲେ। ହେଲେ ଏବେ ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ସଭାପତି ଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି ସେମାନେ କରିଥିବା ସବୁ ଯୋଜନା ଫେଲ ମାରିଛି। କାରଣ ଏବେ ପିସିସିରେ ପରିବର୍ତ୍ତନର ସମ୍ଭାବନା ନ ଥିବା କହିଛନ୍ତି ପିସିସି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ। ବର୍ତ୍ତମାନ ନିରଞ୍ଜନ ହିଁ ପିସିସି ସଭାପତି ରହିବେ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ ରାଜ୍ୟ କଂଗ୍ରେସର ସ୍ଥିତିକୁ ନେଇ ଅଯଥା ବୟାନବାଜି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ବାହାରେ ବୟାନବାଜି କଲେ କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଯଦି କିଛି ଅଭିଯୋଗ କର୍ମୀଙ୍କର ଥାଏ ତେବେ ସେମାନେ ତାଙ୍କ ସହ ନଚେତ ଦଳ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି।
ପ୍ରକାଶଯୋଗ୍ୟ, ନିରଞ୍ଜନଙ୍କ ବିରୋଧରେ ସମର୍ଥନ ଯୋଗାଡ଼ ପାଇଁ କଂଗ୍ରେସର କିଛି ଅସନ୍ତୁଷ୍ଟ ନେତା ମେଳି କରିଥିଲେ। ସେମାନେ ହେମାନନ୍ଦ ବିଶ୍ୱାଳଙ୍କୁ ଭେଟିବା ସହ ଏହି ପଦ ପାଇଁ ବାରବାଟି-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାମକୁ ପ୍ରସ୍ତାବ କରିବାକୁ ଅନୁରୋଧ କରିଥିଲେ। ଏହାର ପ୍ରତିକ୍ରିୟାରେ ହେମାନନ୍ଦ ଯାହା କହିବା କଥା ହାଇକମାଣ୍ଡଙ୍କୁ କହିବି ବୋଲି ମତ ରଖିଥିଲେ। ହେଲେ ଏବେ ଏଭଳି କିଛି ସମ୍ଭବ ନୁହେଁ ବୋଲି ଜିତେନ୍ଦ୍ର କହିଛନ୍ତି।

Share