ଫସଲ ଉଜାଡ଼ିଲେ ୬ ହାତୀ: ଚାଷୀକୁଳ ହତାଶ

ସଜନାଗଡ଼, ୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ କୁଲଡ଼ିହା ଅଭୟାରଣ୍ୟର ୬ଟି ହାତୀ ପଶି ଉପଦ୍ରବ ଚଳାଇଛନ୍ତି। ହାତୀପଲ ଯେତିକି ଫସଲ ଖାଉଛନ୍ତି ତାହାଠାରୁ ଅଧିକ ଦଳିଚକଟି ନଷ୍ଟ କରୁଛନ୍ତି।
୩ ମାସରୁ ବେଶୀ ହେଲାଣି ହାତୀପଲ ବିଭିନ୍ନ ଗ୍ରାମରେ ପଶି ଧାନ ଫସଲ ନଷ୍ଟ କରିଚାଲିଛନ୍ତି। ଏଥିପ୍ରତି ବନବିଭାଗର ନଜର ନ ଥିବା ବେଳେ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାରକରଜ କରି ଚାଷୀ ବିହନ ସାର ପକାଇଥିବା ବେଳେ ହାତୀପଲ ସେମାନଙ୍କ ଅଣ୍ଟାକୁ ଭାଙ୍ଗି ଦେଇଛନ୍ତି। ରବିବାର ରାତିରେ ହାତୀପଲ ଅଭୟାରଣ୍ୟରୁ ବାହାରି କାଂଶ, ନରସିଂହପୁର, ଆନିକାପୁର, ଦୁର୍ଗାପୁର ଆଦି ଗ୍ରାମରେ ଏକର ଏକର ଚାଷକ୍ଷେତକୁ ଦଳିଚକଟି ନଷ୍ଟ କରିଛନ୍ତି। ସୋମବାର ନୀଳଗିରି ରେଞ୍ଜର ରୁଦ୍ରାନନ୍ଦ ବାରିକଙ୍କ ନେତୃତ୍ୱରେ ୫୦ରୁ ଅଧିକ କର୍ମଚାରୀ ହାତୀପଲକୁ ଘଉଡ଼ାଇଥିଲେ। ମଧ୍ୟାହ୍ନ ୧୨ଟାରେ ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପଶି ଯାଇଥିଲାବେଳେ ବନ ବିଭାଗ ଆପ୍ରାଣ ଚେଷ୍ଟା ପରେ ବି ହାତୀପଲ ଯାଇ ନ ଥିଲେ। ହାତୀପଲ ଘଉଡ଼ାଇବାରେ ମିତ୍ରପୁର ଫରେଷ୍ଟର ଗଣେଶ ଲେଙ୍କା, ନୀଳଗିରି ଫରେଷ୍ଟର ଦେବରାଜ ରାଉତ, ସଜନାଗଡ଼ ଫରେଷ୍ଟର ସରୋଜ ପ୍ରଧାନ, କୁଲଡ଼ିହା ଫରେଷ୍ଟର ନରେଶ ସିଂ, ଗାର୍ଡ଼ ଦୁଷ୍ମନ୍ତ ଜେନା, ହିମାଂଶୁ ପାଢ଼ୀ ସମେତ ସବୁଜ ବାହିନୀ ସାମିଲ ଥିଲେ।