ଫସଲ କ୍ଷତି ଅନୁଧ୍ୟାନ ବେଳେ ସାମାଜିକ ଦୂରତ୍ୱକୁ ବେଖାତିର

ବରଗଡ଼ ଅଫିସ୍‌,୨୨।୪: ମହାମାରୀ କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଯେଉଁଠି ସାମାଜିକ ଦୂରତ୍ୱକୁ ବେଖାତିର କରାଯାଉଛି, ସେଠାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି। ମାତ୍ର ବୁଧବାର ବରଗଡ଼ରେ ସ୍ଥାନୀୟ ଜନ ପ୍ରତିନିଧି, କୃଷି, ପ୍ରଶାସନିକ ଅଧିକାରୀ, ରାଜନୈତିକ ନେତୃବୃନ୍ଦ ଗାଇସୀମା, ଖଣ୍ଡହଥା ତଥା ଆଖପାଖ ଅଞ୍ଚଳକୁ କରାମାଡ଼ ଦ୍ୱାରା ଫସଲକ୍ଷତି ଅନୁଧ୍ୟାନ କରିବାକୁ ଯାଇଥିବାବେଳେ ସେଠାରେ ସାମାଜିକ ଦୂରତ୍ୱ ରହି ନ ଥିବା ଏବଂ କେତେକଙ୍କ ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା ଘୋଡ଼ାହୋଇ ନ ଥିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ସମ୍ପୃକ୍ତ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ରାଜନେତାଙ୍କ ଫସଲକ୍ଷତି ପରିଦର୍ଶନ କାଳର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଉଲ୍ଲେଖନୀୟ, ବୁଧବାର ବରଗଡ଼ ଏମପି ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ସହକାରୀ କୃଷି ଅଧିକାରୀ ରବିନ୍ଦ୍ର ସାହୁ, ତହସିଲଦାର ସବ୍ୟସାଚୀ ପଣ୍ଡା, ଭାଜପା ଜିଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ବରଗଡ଼ ବ୍ଲକର ଅଡ଼ଗାଁ ଖଣ୍ଡହଥା, କୁରୁଆଁ, ଗଣ୍ଡପାଲି, ବାଉସେନପାଲି, ଗାଇସୀମା, ବେହେରା, ଖୁଣ୍ଟପାଲି, ତୁରୁଙ୍ଗା ଓ ତୁମଗାଁ ଅଞ୍ଚଳରେ ୮୧୬.୩୭ ହେକ୍ଟର ୩୩ରୁ ୫୦ ପ୍ରତିଶତ ଏବଂ ୨୩୭୮.୭୪୧ ହେକ୍ଟର ଧାନ ଫସଲ କରାମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗର ଆକଳନରୁ ଜଣାପଡ଼ିଛି ।

Share