ଫସଲ ବୀମା ପ୍ରଦାନ ଦାବି: ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଧର୍ମଗଡ,୧୭।୭(ଡି.ଏନ.ଏ.): ଫସଲ ବୀମା ପ୍ରଦାନ ଦାବିରେ ଚାଷୀମାନେ ବୁଧବାର ଧର୍ମଗଡ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳରେ ଗତ ୨୦୧୮ରେ ବର୍ଷା ଅଭାବରୁ ଫସଲ ନଷ୍ଟ ହୋଇ ମରୁଡି ଦେଖାଦେଇଥିଲା । ଏଥିରେ ୭ଟି ଗ୍ରାମପଞ୍ଚାୟତ ଯଥା ବେହେରା, ଜୟନ୍ତପୁର, କଦଳୀମୁଣ୍ଡା, ତେଣ୍ଡାପାଲି, ଜୟନ୍ତପୁର, ଦହଗାଁ ଓ ଛଞ୍ଚାଣବାହିଲି ପଞ୍ଚାୟତ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ସେତେବେଳେ ସରକାରଙ୍କ ତରଫରୁ ଆକଳନ କରାଯାଇ ୮୦ ପ୍ରତିଶତ ମରୁଡି ଘୋଷଣା ହୋଇଥିଲା ଏବଂ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ଇତିମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବୀମା ଟଙ୍କା ଆଜି ଯାଏ ମିଳିନାହିଁ। ଏ ସମ୍ପର୍କରେ ଚାଷୀମାନେ ବାରମ୍ବାର ପ୍ରଶାସନ ପାଖକୁ ଦୌଡି ଥିଲେ ସୁଦ୍ଧା କୌଣସି ସୁଫଳ ପାଇନାହାନ୍ତି । ଏହାକୁ ନେଇ ବୁଧବାର ପୁଣି ଚାଷୀମାନେ ଧର୍ମଗଡ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଅବସରରେ ଚାଷୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ଏକ ନକଲ କଳାହାଣ୍ଡି ଜିଲାପାଳ, କୃଷି ନିର୍ଦ୍ଦେଶକ, କୃଷୀମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରିଥିବା ଜଣାଯାଇଛି।

Share