ଫସି ରହିଛନ୍ତି ଶତାଧିକ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ କଟକଣା ଜାରି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମାର୍ଚ୍ଚ ୨୨ରୁ ଗୋଟିଏ ସପ୍ତାହ ଲାଗି ସମସ୍ତ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଟ୍ରେନ୍‌ ଓ ବସ୍‌ ସେବା ମଧ୍ୟ ବ୍ୟାପକଭାବେ ପ୍ରଭାବିତ ହୋଇଛି। ଏଭଳିସ୍ଥଳେ ଓଡ଼ିଶାରେ ଫସି ରହିଛନ୍ତି ଶତାଧିକ ବିଦେଶୀ ପର୍ଯ୍ୟଟକ। ନିଜ ଦେଶକୁ ଫେରି ନ ପାରି ଏଣେ ତେଣେ ବୁଲୁଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିଲେ ଅଧିକାଂଶ ହୋଟେଲ ସେମାନଙ୍କୁ ରଖିବାକୁ ସିଧା ମନା କରିଦେଉଛନ୍ତି। ଏପରି କି ହାତରେ କୋଭିଡ୍‌-୧୯ ଟେଷ୍ଟ୍‌ ରିପୋର୍ଟ ଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ। ଯେତେ ନେହୁରା ହେଲେ ମଧ୍ୟ ରୁମ୍‌ ଦେବାକୁ କେହି ରାଜି ହେଉନାହାନ୍ତି। ସେହିଭଳି ଖାଇବାକୁ ଚାହିଁଲେ ହୋଟେଲ କର୍ତ୍ତୃପକ୍ଷ ମନା କରୁଛନ୍ତି। ପରିସ୍ଥିତି ଏଭଳି ହୋଇଛି ବିଦେଶୀ ପର୍ଯ୍ୟଟକମାନେ ଦିନସାରା ଏଠିସେଠି ବୁଲିବୁଲି ନିରାଶ ହୋଇ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି।
ନିକଟରେ ୟୁରୋପରୁ ଆସିଥିବା ଜଣେ ପର୍ଯ୍ୟଟକ ଏଭଳି ହଟହଟାର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। କରୋନା ପରୀକ୍ଷା ନେଗେଟିଭ୍‌ ରିପୋର୍ଟ ଦେଖାଇଥିଲେ ମଧ୍ୟ ତାଙ୍କୁ ହୋଟେଲ ମିଳି ନ ଥିଲା କି କ୍ୟାବ୍‌, ଅଟୋରେ ନେବାକୁ କେହି ରାଜି ହୋଇ ନ ଥିଲେ। ଏପରି କି ରେଷ୍ଟୁରାଣ୍ଟରେ ବସାଇ ଖାଇବାକୁ ଦେବାକୁ ମଧ୍ୟ କେହି ଚାହିଁ ନ ଥିଲେ। ଫଳରେ ଆଇଜି ପାର୍କରେ ପଡ଼ି ରହିଥିଲେ ଏହି ବିଦେଶୀ ପର୍ଯ୍ୟଟକ। ସୌଭାଗ୍ୟବଶତଃ ଖବରଦାତା ସତ୍ୟବ୍ରତ ଜେନାଙ୍କ ସହାୟତା ପରେ ସେ ନିଜ ଦେଶକୁ ଫେରିଥିବାବେଳେ ଏବେ ବି ଅନେକ ବିଦେଶୀ ପର୍ଯ୍ୟଟକ ହନ୍ତସନ୍ତ ହେଉଛନ୍ତି। ଓଡ଼ିଶା ବୁଲିବାକୁ ଡେନ୍‌ମାର୍କରୁ ଆସିଥିବା ଏକ ପର୍ଯ୍ୟଟକ ଦଳ ରାଜ୍ୟରେ ଫସି ରହି ନାନା ହଟହଟାର ଶିକାର ହେଉଛନ୍ତି। ସେହିଭଳି ଇଟାଲୀ, ଇଂଲଣ୍ଡ, ଆମେରିକା, ଜର୍ମାନ ସମେତ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରୁ ଆସିଥିବା ପର୍ଯ୍ୟଟକ ଏବେ ବି ରାଜ୍ୟରେ ଫସି ରହିଛନ୍ତି। ଏନେଇ ପର୍ଯ୍ୟଟନ ବିଭାଗ ଅସନ୍ତୋଷ ପ୍ରକାଶ କରିଛି। ବିଦେଶୀ ପର୍ଯ୍ୟଟକମାନଙ୍କୁ ହୋଟେଲରେ ରହଣୀ ପାଇଁ ମନା ନ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଥିବାବେଳେ ଆବଶ୍ୟକ ସ୍ଥଳେ ପର୍ଯ୍ୟଟକଙ୍କ ସ୍କ୍ରିନିଂ ତଥା ମେଡିକାଲ ଟେଷ୍ଟିଂ କରିବାକୁ କୁହାଯାଇଛି। ବିଦେଶୀ ପର୍ଯ୍ୟଟକଙ୍କ ଡାଟାବେସ୍‌ ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ସମେତ ସ୍ଥାନୀୟ ପୋଲିସଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ବିଦେଶୀ ପର୍ଯ୍ୟଟକଙ୍କୁ ଯଦି କରୋନା ଆଳରେ କେହି ଅସଦାଚରଣ ନଜର ଆସେ ତା’ହେଲେ ସେମାନଙ୍କ ପ୍ରତି ଦୃଢରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଘୃଣା କରିବା ପରିବର୍ତ୍ତେ ମଣିଷପଣିଆ ଦେଖାଇବାକୁ ସେ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି।

Share