ନୂଆଦିଲ୍ଲୀ,୨୬। ୩: କୋଭିଡ ଲକ୍ଡାଉନ ପାଇଁ କଟକଣା ଜୋରଦାର ହୋଇଛି। ଆନ୍ତଃରାଜ୍ୟ ପରିବହନରେ ରହିଥିବା ଟ୍ରକଗୁଡିକ ଏଥି ଲାଗି ବିଭିନ୍ନ ରାଜ୍ୟ ତଥା ସୀମାଗୁଡିକରେ ଏବେ ହଜାର ହଜାର ସଂଖ୍ୟାରେ ଛିଡା ହୋଇ ରହିଛନ୍ତି। ଲକ୍ଡାଉନ ଲାଗି ସେମାନଙ୍କୁ ଆଗକୁ ଯିବା ଲାଗି ଅନୁମତି ମିଳୁନାହିଁ। ଇଣ୍ଡିଆନ ଫାଉଣ୍ଡେଶନ ଅଫ୍ ଟ୍ରାନ୍ସପୋର୍ଟ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଆଇଏଫ୍ଟିଆର୍ଟି) ଆକଳନ ମୁତାବକ ଏବେ ଏହି ଭଳି ଭାବେ ସାରା ଦେଶରେ ୫ ଲକ୍ଷ ଟ୍ରକ ଡ୍ରାଇଭର ଏବଂ ହେଲପର ଫସି ରହିଛନ୍ତି। ଫଳରେ ସେମାନଙ୍କ ଖାଦ୍ୟ ପାନୀୟ କ୍ଷେତ୍ରରେ ବିଭିନ୍ନ ଅସୁବିଧା ଉପୁଜିଥିବା ଜଣାପଡିଛି। ରାଜ୍ୟର ସୀମା ଏବଂ ଚେକ୍ ପୋଷ୍ଟଗୁଡିକୁ ବନ୍ଦ କରାଯିବା ଫଳରେ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ଅତି ଆବଶ୍ୟକ ସାମଗ୍ରୀ ନେଉଥିବା ଟ୍ରକଗୁଡିକ ମଧ୍ୟ ଫସି ରହିଛି। ଫଳରେ ଏହା ସମସ୍ୟା ସୃଷ୍ଟି କରୁଛି ବୋଲି ଏହି ଏଜେନ୍ସି ପକ୍ଷରୁ କୁହାଯାଇଛି।