ଫାଇଦା ଉଠାଉଛନ୍ତି ଅନ୍ତର୍ଜାତୀୟ ଡ୍ରଗ୍‌ ମାଫିଆ

ନୂଆଦିଲ୍ଲୀ,୧୩ା୫(ଆଇଏଏନ୍‌ଏସ୍‌): ଅନ୍ତର୍ଜାତୀୟ ଡ୍ରଗ୍‌ ମାଫିଆମାନେ ନୋଭେଲ କରୋନା ଭାଇରସ୍‌ ସଙ୍କଟର ଫାଇଦା ଉଠାଇ ଅଧିକ ସକ୍ରିୟ ହୋଇଯାଇଛନ୍ତି ବୋଲି ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସତର୍କ କରିଦେଇଛି। ଏନେଇ ସିବିଆଇ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖି ଅବଗତ କରାଯାଇଛି।
ସାରା ବିଶ୍ୱରେ କୋଭିଡ୍‌-୧୯ର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବାବେଳେ ଡ୍ରଗ୍‌ ଚାଲାଣ ମଧ୍ୟ ବୃଦ୍ଧି ପାଇଛି। ମାଫିଆମାନେ କରୋନା ପ୍ରୋଟେକ୍ଟିଭ୍‌ ଇକ୍ୱିପ୍‌ମେଣ୍ଟ ପରିବହନ ହେଉଥିବା ଜାହାଜ ଓ ଅନ୍ୟ ଯାନବାହନଗୁଡ଼ିକରେ ଡ୍ରଗ୍‌ ଚାଲାଣ କରୁଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଅନ୍ତର୍ଜାତୀୟ ଡ୍ରଗ୍‌ ମାଫିଆଙ୍କ କାରବାର ସମ୍ପର୍କରେ ଇଣ୍ଟରନ୍ୟାଶନାଲ ପୋଲିସ ଅର୍ଗାନାଇଜେଶନ (ଇଣ୍ଟରପୋଲ) ସିବିଆଇକୁ ସୂଚନା ଦେଇଛି। ଏହାକୁ ନେଇ ସିବିଆଇ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଆଲର୍ଟ କରାଇଛି। କୌଣସି ପ୍ରକାର ସନ୍ଦେହଜନକ ଗତିବିଧି ପରିଲକ୍ଷିତ ହେଲେ ସିବିଆଇକୁ ତୁରନ୍ତ ଅବଗତ କରିବା ପାଇଁ ଏଥିରେ କୁହାଯାଇଛି।

Share