Categories: ଅନୁଗୋଳ

ଫାଇନାନ୍ସ କମ୍ପାନୀରୁ ୧୫ ଲକ୍ଷ ହଡ଼ପ

ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳର ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଟଙ୍କା ହଡ଼ପ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ସେ ହେଲେ ଉକ୍ତ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା କେନ୍ଦ୍ରାପଡା ଜିଲାର ପ୍ରସନ୍ନ କୁମାର କର। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ନଂ ୭୬୬/୧୯ରେ ମାମଲା ରୁଜୁ ହୋଇଛି।
ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସୂଚନା ମୁତାବକ, ସେପ୍ଟେମ୍ବର ୧ରୁ ୨୫ ତାରିଖ ମଧ୍ୟରେ ପ୍ରସନ୍ନ ଉକ୍ତ ଘରୋଇ ଫାଇନାନ୍ସ କମ୍ପାନୀର ଅନୁଗୋଳ ଶାଖାରେ ବ୍ରାଞ୍ଚ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ଲୋକଙ୍କୁ ବାଇକ୍‌, ମୋଟର ଯାନ ଓ ଅନ୍ୟାନ୍ୟ ଋଣ ପାଇଁ ଟଙ୍କା ଦେବା ସହ ଅର୍ଥ ଆଦାୟ ଦାୟିତ୍ୱରେ ସେ ରହିଥିଲେ। ତେବେ ଲୋକଙ୍କଠାରୁ ଆଦାୟ ହେଉଥିବା ଟଙ୍କା କମ୍ପାନୀର ଆକାଉଣ୍ଟକୁ ଯାଉ ନ ଥିଲା। ୨୫ ଦିନ ଧରି କିଛି ଟଙ୍କା ଆଦାୟ ହୋଇ ନ ଥିବା ଜାଣି ଏରିଆ ଆକାଉଣ୍ଟାଣ୍ଟ ରାକେଶ ମହାନ୍ତି ଆସି ଅନୁଗୋଳ ଶାଖାରେ ଯାଞ୍ଚ କରିଥିଲେ। ଟଙ୍କା ପ୍ରତିଦିନ ଆସୁଥିଲେ ମଧ୍ୟ ଆକାଉଣ୍ଟରେ ଅର୍ଥ ଜମା ହେଉ ନ ଥିବା ଜାଣିବାକୁ ପାଇଥିଲେ। ପରେ ଏରିଆ ଆକାଉଣ୍ଟାଣ୍ଟ ୨୭ ତାରିଖରେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପ୍ରସନ୍ନ କମ୍ପାନୀର ୧୫ ଲକ୍ଷ ୮୧ ହଜାର ୪୮୧ ଟଙ୍କା ହଡ଼ପ କରିନେଇଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ପୋଲିସ ପ୍ରସନ୍ନଙ୍କୁ ଗିରଫ କରିବା ସହ ତାଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି। ଏଥିସହ ତାଙ୍କ ନିକଟରୁ ନଗଦ ୬ ଲକ୍ଷ ୭୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିବା ଅନୁଗୋଳ ଆଇଆଇସି ବିଶୋଇ ସୂଚନା ଦେଇଛନ୍ତି।