ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୧. ୪୦ ଲକ୍ଷ ଲୁଟ୍‌

ବାହାନଗା, ୧୦ା୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଭଣା ପଞ୍ଚାୟତସ୍ଥିତ କୋଷ୍ଟ କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନ ସମୟରେ ଦୁର୍ବୃତ୍ତମାନେ ଏକ ଘରୋଇ ଅର୍ଥଲଗାଣ ସଂସ୍ଥା (ଫାଇନାନ୍ସ କମ୍ପାନୀ)ର କର୍ମଚାରୀଙ୍କଠାରୁ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ସୋର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମାତ୍ର ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଲୁଟେରାଙ୍କ ସମ୍ପର୍କରେ କୌଣସି ପତ୍ତା ପାଇନାହିଁ ।
ଘରୋଇ ଅର୍ଥଲଗାଣ ସଂସ୍ଥା ଏସ୍‌.କେ.ଏସ୍‌. କମ୍ପାନୀ ଗ୍ରାମାଞ୍ଚଳରେ ମହିଳା ଗ୍ରୁପମାନଙ୍କୁ ଋଣ ଆକାରରେ ଟଙ୍କା ଯୋଗାଇ ଦେଉଥିଲେ। ପ୍ରତି ସପ୍ତାହରେ ସଂସ୍ଥାର କର୍ମଚାରୀମାନେ ଗାଁକୁ ଆସି ଗ୍ରୁପର ସଦସ୍ୟାମାନଙ୍କୁ ଦେଇଥିବା ଟଙ୍କାର ମୂଳ ସହିତ ସୁଧ ଆଦାୟ କରି ନେଇଥାନ୍ତି । ସେହି ଅନୁଯାୟୀ ମଙ୍ଗଳବାର ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ଦୀପକ କୁମାର ଗିରି ଅଭଣା ଓ ରୂପଖଣ୍ଡ ଆଦି ଗ୍ରାମର ୭ଟି ମହିଳା ଗ୍ରୁପଙ୍କଠାରୁ ଟଙ୍କା ୧ଲକ୍ଷ ୪୦ ହଜାର ଟଙ୍କା ଆଦାୟ କରି ସୋରସ୍ଥିତ କମ୍ପାନୀ କାର୍ଯ୍ୟାଳୟକୁ ଫେରୁଥିଲେ। ଅଭଣା କୋଷ୍ଟ କେନାଲ ରାସ୍ତା ଉପରେ ଦିନ ପ୍ରାୟ ୨ଟା ବେଳେ ଏକ ନମ୍ବର ବିହୀନ ଧଳା ରଙ୍ଗର ଆପାଚି ଗାଡିରେ ୩ ଜଣ ଦୁର୍ବୃତ୍ତ ପହଞ୍ଚି ଗାଡି ଅଟକାଇବା ସହିତ ମାରଣାସ୍ତ୍ର ଦେଖାଇ ଟଙ୍କା ବ୍ୟାଗ ସମେତ ଏକ ଟ୍ୟାବ ଓ ଅନ୍ୟାନ୍ୟ ସାମଗ୍ରୀକୁ ଲୁଟି ନେଇଥିଲେ। ଲୁଟେରାମାନେ ଗାଡି ଯୋଗେ ଆରୁହାବାଡ ପଞ୍ଚାୟତ ଆଡକୁ ଦ୍ରୁତଗତିରେ ଫେରାର ହୋଇଯାଇଥିବା ସଂସ୍ଥାର ମ୍ୟାନେଜର ଶରତ ଚନ୍ଦ୍ର ଦଳେଇ ଅଭିଯୋଗ କରିଛନ୍ତି। ସୋର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୌଣସି ସୁରାକ ପାଇପାରି ନ ଥିଲେ। ସନ୍ଧ୍ୟାରେ ଅଭିଯୋଗ ହୋଇଥିଲେ ମଧ୍ୟ ଖବରଲେଖା ହେବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇ ନ ଥିଲା ।