ଫାଇଲିନ୍‌ରେ ନଷ୍ଟ ହୋଇଥିଲା ଝାଉଁବଣ: ୬ ବର୍ଷ ଧରି ପଡ଼ି ଖତଖାଉଛି କାଠ

କୃଷ୍ଣପ୍ରସାଦ,୧।୧୦(ଡି.ଏନ.ଏ.)- ବଙ୍ଗୋପସାଗର ଉପକୂଳ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ବ୍ରାହ୍ମଣଦେଓ ଗାଁ ନିକଟ ଝାଉଁବଣରେ ଗତ ୬ ବର୍ଷ ହେଲା ପଡ଼ି ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ଝାଉଁକାଠ। ୨୦୧୩ ଫାଇଲିନ ବାତ୍ୟାରେ ଭାଙ୍ଗିପଡିଥିଲା ହଜାର ହଜାର ପରିମାଣର ଝାଉଁଗଛ । ଗ୍ରାମ୍ୟ ବନୀକରଣ ଦାୟିତ୍ୱରେ ଥିବା ବ୍ରାହ୍ମଣଦେଓ ଗ୍ରାମବାସୀ ନିଜ ଖର୍ଚ୍ଚରେ ଗଛକୁ ହାଣି ଖଣ୍ଡ ଖଣ୍ଡ କରି ଗଦାମାରି ପାଳିକରି ଏଯାଏ ଜଗି ରହିଛନ୍ତି। ତେବେ ସେମାନଙ୍କୁ କାଠ ବିକ୍ରି କରିବା ଲାଗି ବନବିଭାଗ ଅନୁମତି ଦେବ ବୋଲି କହି ଦିନ ଗଡାଇ ଚାଲିଛି। ଫଳରେ ଦୀର୍ଘ ୬ବର୍ଷ ଧରି ଗଦା ମରାଯାଇଥିବା କାଠସବୁ ବାତ୍ୟା, ବର୍ଷାରେ ପାଣି ଖାଇ ନଷ୍ଟ ହେବାରେ ଲାଗିଛି। ସେହିପରି ଗତ ଫନୀ ବାତ୍ୟାଠାରୁ କାଠ ଗଦା ମରାଯାଇଥିବା ସ୍ଥାନରେ ପାଣି ଜମି ରହୁଛି। ପାଣି ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ବର୍ଷା ହେଲେ କାଠସବୁ ପାଣିରେ ଭାସୁଛି ା ପାଣି ଖାଇ କାଠ ଖତରା ହେଲାଣି ଅଥଚ ଗ୍ରାମବାସୀ ତାହାକୁ ବିକ୍ରି କରିପାରୁନାହାନ୍ତି। ବନ ବିଭାଗ ଅନୁମତି ଦେବାରେ ଅବହେଳା କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଗ୍ରାମବାସୀ କେବେ ସେମାନଙ୍କ ପାରିଶ୍ରମିକ ପାଇବେ ତାହା ମରୀଚିକା ସଦୃଶ ବୋଲି ଜଙ୍ଗଲରେ କାଠ ଜଗୁଥିବା କେତେଜଣ ସଦସ୍ୟ କହିଛନ୍ତି। ଏନେଇ ଡିଏଫ୍‌ଓ ସମ୍ରାଟ ଗୌଡ଼ଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି। ଲକ୍ଷ ଲକ୍ଷ ଟଙ୍କାର କାଠ ନଷ୍ଟ ହେବାକୁ ବସିଥିବାବେଳେ ବନ ବିଭାଗ ଜିଲା ମୁଖ୍ୟ ଅଧିକାରୀ ଏ ସମ୍ପର୍କରେ ଜାଣି ନ ଥିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।