Categories: ଜାତୀୟ

ଫାଉଡା ଧରି ନାଳ ସଫା କଲେ ମନ୍ତ୍ରୀ

ଗ୍ବାଲିୟର,୩।୧୧: ମଧ୍ୟପ୍ରଦେଶ କ୍ୟାବିନେଟର ମନ୍ତ୍ରୀ ଥିବା ପ୍ରଦୁମ୍ନ ସିଂ ତୋମର ପୁଣିଥରେ ଫାଉଡା ଧରି ନାଳ ସଫା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ବାଲିୟରରେ ତୋମାରଙ୍କର ଏହି ବାସ୍ତବିକ ସଫେଇ ଅଭିଯାନ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ୮ ଫୁଟ ନାଳରେ ପଶି ମନ୍ତ୍ରୀଙ୍କ ସଫା କରିବା କାମ ସମସ୍ତଙ୍କୁ ପ୍ରଭାବିତ କରିଛି। ଗତବର୍ଷ ମଧ୍ୟ ତୋମାର ଏମିତି ସଫେଇ କରି ଆସିଥିଲେ ଚର୍ଚ୍ଚାକୁ। ମଝିରେ ମଝିରେ ସେ ନିଜ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଏଭଳି କାର୍ଯ୍ୟ କରିଥାଆନ୍ତି। ସୂଚନାଯୋଗ୍ୟ, ମନ୍ତ୍ରୀ ତୋମାର ରବିବାର ସକାଳେ ତାଙ୍କ ସହଯୋଗୀଙ୍କ ସହ ବିରଲା ନଗର ସ୍ଥିତ ଓ୍ବାର୍ଡ ନଂ-୧୬ରେ ଥିବା ନ୍ୟୁ କଲୋନି ଦେଇ ଯାଉଥିଲେ। ସେଠାରେ ଥିବା ନାଳ ଜାମ ହେବା ଫଳରେ ଲୋକଙ୍କ ଘରେ ପାଣି ପଶି ଯାଉଥିଲା। ଏହା ଦେଖିବା ପରେ ମନ୍ତ୍ରୀ ତୁରନ୍ତ ନାଳରେ ଜମା ହୋଇଥିବା ମଇଳା ସଫା କରିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ସହଯୋଗ କରିବାରୁ ନାଳଟି ସଫା ହୋଇଯାଇଥିଲା। ଏହାପୂର୍ବରୁ ଶନିବାର ମଧ୍ୟ ତୋମାର ରେଲଓ୍ବେ ଷ୍ଟେଶନ ପହଞ୍ଚି ସେଠାରେ ଥିବା ଶୌଚାଳୟ ସଫା କରିଥିଲେ।

Share