Categories: ଖେଳ

ଫାଓ ନିର୍ବାଚନ: ଦେବାଶିଷ ସଭାପତି, ଆଶୀର୍ବାଦ ସମ୍ପାଦକ

କଟକ ଅଫିସ,୫ା୨-  ନିର୍ବାଚନ ପୂର୍ବରୁ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର କର୍ମକର୍ତ୍ତା ତାଲିକା ଚୂଡ଼ାନ୍ତ ହୋଇଯାଇଛି। ସଭାପତି ଭାବେ ପୂର୍ବତନ ବିଧାୟକ ତଥା ଫାଓର ପୂର୍ବତନ ସଭାପତି ଦେବାଶିଷ ସାମନ୍ତରାୟ ପଦବୀ ବଜାୟ ରଖିଛନ୍ତି। ଦେବାଶିଷଙ୍କର ଏହା ଲଗାତାର ୩ୟ କାର୍ଯ୍ୟକାଳ। ଅନ୍ୟପକ୍ଷରେ ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ପ୍ରଥମ ଥର ପାଇଁ ଫୁଟବଲ ସଂଘର ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇଛନ୍ତି। ବିନା ପ୍ରତିଦ୍ୱନ୍ଦ୍ୱିତାରେ ଆଶୀର୍ବାଦ ହୋଇଛନ୍ତି ଫାଓର ସମ୍ପାଦକ। ସଂଘର ସମସ୍ତ ପଦବୀ ଚୂଡ଼ାନ୍ତ ହୋଇଥିବା ବେଳେ ଆସନ୍ତା ୧୬ରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବାସହ ନୂତନ ପଦାଧିକାରୀ ଦାୟତ୍ୱ ଗ୍ରହଣ କରିବେ।
ଫାଓ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥି ତାଲିକା ଘୋଷଣା ଦିବସ ଧାର୍ଯ୍ୟ କରାଯାଇଥିଲା। ସଭାପତି ପଦବୀ ପାଇଁ ଦେବାଶିଷ, କାର୍ଯ୍ୟକାରୀ ସଭାପତି ପଦବୀ ନିମନ୍ତେ ଶ୍ରୀକର ମିଶ୍ର, ସମ୍ପାଦକ ପାଇଁ ଆଶୀର୍ବାଦ, କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଭକ୍ତବଲ୍ଲଭ ଦାସ ଏକମାତ୍ର ପ୍ରାର୍ଥିଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏଣୁ ଏହି ୪ ପଦବୀ ନିର୍ଦ୍ୱନ୍ଦରେ ପୂରଣ ହୋଇଥିଲା। ଅନ୍ୟପକ୍ଷରେ ୮ଟି ଉପସଭାପତି ପଦବୀ ନିମନ୍ତେ ୧୩ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଖ ଅକମଲ ଅଲ୍ଲୀ, ଯୁଗଳ ସିଂ, ଡ. ଜନାର୍ଦ୍ଦନ ଦାସ, ଜୀବନ ମହାନ୍ତି ଓ ଉପେନ୍ଦ୍ରନାଥ ଦାସ ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ଫଳରେ ବିଜୟ ଦାସ, ଦିଲ୍ଲୀପ ସାହୁ, ପ୍ରଦୀପ କିଶୋର ମହାନ୍ତି, ରବି ନାରାୟଣ ପଣ୍ଡା, ହୃଦୟ ରଞ୍ଜନ ବେହେରା, ବସନ୍ତ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ମହାନ୍ତି, ପ୍ରଦୀପ କୁମାର ଦାସ ଉପସଭାପତି ଭାବେ ବିଜୟ ହାସଲ କରିଛନ୍ତି। ୩ଟି ଯୁଗ୍ମ ସମ୍ପାଦକ ପଦବୀ ନିମନ୍ତେ ୩ଜଣ ହିଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଏମାନେ ହେଲେ ଅଭିଜିତ ପାଲ, ସାହିଦ ଜବାର ଓ ବିଶ୍ୱରଞ୍ଜନ ଘଡ଼େଇ। ଏହି ୩ ପ୍ରାର୍ଥି ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

Share