ଭୁବନେଶ୍ୱର, ୨୫।୭(କ୍ରୀଡ଼ା ପ୍ରତିନିଧି)- କଟକର ବାରବାଟୀ ଷ୍ଟାଡିୟମରେ ବୁଧବାର ଫାଓ(ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା) ଲିଗ୍ ଉଦ୍ଘାଟିତ ହୋଇଛି। ପ୍ରଥମ ମ୍ୟାଚରେ ସ୍ପୋର୍ଟ୍ସ ହଷ୍ଟେଲ ୧-୦ ଗୋଲରେ ଓଡ଼ିଶା ପୋଲିସକୁ ପରାସ୍ତ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ବିଜୟୀ ଦଳ ପକ୍ଷରୁ ଜୟସିଂ ଗାଗ୍ରାଇ ଏକମାତ୍ର ଗୋଲଟି ସ୍କୋର କରିଥିଲେ। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ଡି. ଶ୍ରୀନାଥଙ୍କ ପାସ୍କୁ କେବଳ ଜୟସିଂ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ସ୍ପୋର୍ଟ୍ସ ହଷ୍ଟେଲ ଗୋଲକିପର ଫଗୁ ବାସ୍କେ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। କଟକ ଏଡିଏମ ବିଜୟ କୁମାର ଖଣ୍ଡାୟତରାୟ ମୁଖ୍ୟ ଅତିଥି, ଓଡ଼ିଶା ଆଥଲେଟିକ୍ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓ ଉପସଭାପତି ଭକ୍ତବଲ୍ଲଭ ଦାସ, ତଡ଼ିତ କୁମାର ରାଉତ, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍, ସଦସ୍ୟ ଗୋପାଳ ଦାସ, ମାନସ ସାମଲ, ବିଶ୍ୱ ରଞ୍ଜନ ଘଡ଼େଇ, ବିଷ୍ଣୁଚରଣ ରାଉତ, ନରେନ୍ଦ୍ର କୁମାର ସାହୁ, ସହଦେବ ରାଉତ, କଟକ ଡିଏସ୍ଓ ରଶ୍ମିରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।