ଫାଙ୍କା ଗୁଳିଚାଳଣା ଘଟଣା: ନାରାୟଣ ସମେତ ୪ ଗିରଫ: ୨ ବନ୍ଧୁକ, ଗୁଳି ଜବତ

ପୁରୀ ଅଫିସ,୨୯ା୯: ବହୁ ଚର୍ଚ୍ଚିତ ତେଲି ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫାଙ୍କା ଗୁଳିଚାଳଣା ଘଟଣାରେ ରବିବାର ଟାଉନ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିସାହିର ମଦ ବ୍ୟବସାୟୀ ତଥା ବିଜେଡି ନେତା ନାରାୟଣ ସାହୁ ଏବଂ ତାଙ୍କ ସୁରକ୍ଷାକର୍ମୀ ଉତ୍ତରପ୍ରଦେଶର ବବୁଲ କୁମାର, ଅରୁଣ କୁମାର ଓ ଦେବେନ୍ଦ୍ର କୁମାର। ପୋଲିସ ସୁରକ୍ଷାକର୍ମୀଙ୍କଠାରୁ ୨ଟି ବନ୍ଧୁକ ଏବଂ ଗୁଳି ଜବତ କରିଛି। ଏ ନେଇ ଥାନାରେ କେସ୍‌ ନଂ. ୧୭୮/୧୯ରେ ମାମଲା ରୁଜୁ ହୋଇଛି ବୋଲି ଏସ୍‌ଡିପିଓ କ୍ଷୀରସାଗର ନାୟକ ସୂଚନା ଦେଇଛନ୍ତି। ନାରାୟଣଙ୍କ ନାମରେ ବିଭିନ୍ନ ଥାନାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ କହିଛି।
ସୂଚନାନୁଯାୟୀ, ଗତ ଅଗଷ୍ଟ ୪ ତାରିଖରେ ତେଲି ପଡିଆଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ନାରାୟଣ ଏବଂ ତାଙ୍କ ସୁରକ୍ଷାକର୍ମୀମାନେ ମଦ ନିଶାରେ ଦୁଇଟି ବନ୍ଧୁକରୁ ପ୍ରାୟ ୬ ରାଉଣ୍ଡ ଗୁଳିଚାଳଣା କରିଥିଲେ। ଏନେଇ ଗତ ସପ୍ତାହ ଧରି ଉକ୍ତ କାର୍ଯ୍ୟକ୍ରମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ନାରାୟଣ ଏବଂ ତାଙ୍କ ସୁରକ୍ଷାକର୍ମୀମାନେ ଗୁଳି ଫୁଟାଇ ନାଚ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଥମେ ପୋଲିସ ଏହି ଘଟଣାକୁ ଏଡାଇ ଯିବାକୁ ଚେଷ୍ଟା କରିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁରୀ ପୋଲିସ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ପରେ ଘଟଣାର ତନଘନା ଆରମ୍ଭ କରିଥିଲା। ଘଟଣା ପରଠାରୁ ନାରାୟଣ ଏବଂ ତାଙ୍କ ସୁରକ୍ଷାକର୍ମୀ ଫେରାର ଥିଲେ। ରବିବାର ବାହାରକୁ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ପୁରୀରୁ ଗିରଫ କରିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।