Categories: ରାଜ୍ୟ

ଫାର୍ମାସିଷ୍ଟଙ୍କ ଯୋଗଦାନକୁ ବିରୋଧ: ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଟାୟାର ଜାଳି ପ୍ରତିବାଦ

ନାଉଗାଁ,୧୨ା୭(ସ୍ବ.ପ୍ର.): ନାଉଗାଁ ବ୍ଲକ ଡେରିକି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ଲାଗି ରହିଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଫାର୍ମାସିଷ୍ଟଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ବୁଧବାର ସମ୍ପୃକ୍ତ ଫାର୍ମାସିଷ୍ଟ ଏଠାରେ କାର୍ଯ୍ୟରେ ଯୋଗଦେବା ପରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଟାୟାର ଜାଳି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ୭ ଦିନ ମଧ୍ୟରେ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କୁ ଏଠାରୁ ବଦଳି କରା ନ ଗଲେ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଅନଶନ କରାଯିବ ବୋଲି ସେମାନେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନ ଥିବାବେଳେ ଜଣେ ଫାର୍ମାସିଷ୍ଟ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। କିଛିଦିନ ତଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜଣେ ଫାର୍ମାସିଷ୍ଟ ନିଶାସକ୍ତ ଅବସ୍ଥାରେ ଶୋଇରହିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ତାଙ୍କୁ ସେଠାରୁ ବଦଳି କରାଯାଇ ଡେରିକି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ତେଣୁ ସ୍ଥାନୀୟ ବାସିନ୍ଦା ମଙ୍ଗୁଳି ଚରଣ ବେହେରା, ମହାଦେବ ବିଶ୍ୱାଳ, ଭରତ ଜେନା, ମନୋଜ କୁମାର ସ୍ବାଇଁ, ଉପେନ୍ଦ୍ର କୁମାର ଜେନା ପ୍ରମୁଖ ଏନେଇ ଜିଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ନାଉଗଁା ଥାନା ଅଧିକାରୀ, ଜଗତ୍‌ସିଂହପୁର ବିଧାୟକ ଓ ନାଉଗଁା ଅଗ୍ନିଶମ ସେବା ସଂସ୍ଥାକୁ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଜୟ ବୈଠାରୁ କହିଛନ୍ତି ଯେ, ଜିଲାପାଳଙ୍କ ସହ ଆଲୋଚନା କରାଯାଇ ନୂତନ ଭାବେ ଯୋଗଦେଇଥିବା ଫାର୍ମାସିଷ୍ଟଙ୍କୁ ନାଉଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ ଡେରିକି ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିକ କର୍ମଚାରୀ ଆବଶ୍ୟକ ଥିବା ଦୃଷ୍ଟିରୁ ତାଙ୍କୁ ସେଠାରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ଠିକ୍‌ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ, ୧୫ ଦିନ ଅନୁଧ୍ୟାନ କରାଯାଇ ଜିଲାପାଳଙ୍କୁ ରିପୋର୍ଟ ଦେବା ପରେ ଯାହା ପଦକ୍ଷେପ ନିଆଯିବ।

Share