ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ବିଗୁଡୁଛି ଖଣି ଅଞ୍ଚଳ ଆର୍ଥିକ ପରିସ୍ଥିତି : ଲାଗି ରହିଛି ଅଚଳାବସ୍ଥା

କାଳିଆପାଣି,୩ା୯(ଡି.ଏନ୍‌.ଏ.)- କ୍ରୋମାଇଟ ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ଲାଗି ରହିଥିବାରୁ ଅଞ୍ଚଳର ଆର୍ଥିକ ପରିସ୍ଥିତି ବିଗିଡିବାରେ ଲାଗିଛି ା ୧୪ ଦିନ ଧରି ଅଚଳାବସ୍ଥା ହେବାରୁ ଶ୍ରମିକ, କର୍ମଚାରୀ, ଟ୍ରକ୍‌ ମାଲିକ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ କୋଟି କୋଟି ଟଙ୍କା ଆର୍ଥତ୍କ କ୍ଷତି ଖଣି କର୍ତ୍ତୃପକ୍ଷ ସହୁଛନ୍ତି । ଅଗଷ୍ଟ ୨୦ ତାରିଖରୁ ଖଣି ଅଞ୍ଚଳରୁ କ୍ରେମାଇଟ ପରିବହନରେ ବିବାଦ ଲାଗିରହିଥିବାରୁ ପରିବହନ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଛି। ଏହାର ପ୍ରଭାବ ଖଣି ଅଞ୍ଚଳରେ ସିଧାସଳଖ ପଡ଼ିବା ସହ ଖଣି ସହ ଜଡ଼ିତ ରହିଥିବା ଦୋକାନ ବଜାର ମଧ୍ୟ ପ୍ରଭାବିତ ହୋଇଛି। ସେହିପରି ପରିବହନ ବନ୍ଦ ରହିବାରୁ ଲୋଡିଂ ଶ୍ରମିକ ଓ ଟ୍ରକ୍‌ ଡ୍ରାଇଭର ସିଧା ସଳଖ ପ୍ରଭାବିତ ହେଉଛନ୍ତି। ହୋଟେଲ ବଜାରଗୁଡ଼ିକ ବନ୍ଦ ରହିଥିବାରୁ ଜିଲାର ବିଭିନ୍ନ ଅଞ୍ଚଳରୁ କ୍ରୋମାଇଟ ଲୋଡିଂ ନିମନ୍ତେ ଆସିଥିବା ଟ୍ରକ୍‌ ଡ୍ରାଇଭର ଓ ହେଲପର ୧୦ କିମି ଦୂର ବାଟରେ ଥିବା ହୋଟେଲକୁ ଯାଉଛନ୍ତି। ଗତ ୩୧ ତାରିଖ ଦିନ ଡିଡିଏମ୍‌ଙ୍କ ପକ୍ଷରୁ ଆହୂତ ସମାଧାନ ବୈଠକ ବିଫଳ ହେବାରୁ ପୁନରାୟ କେଉଁ ଦିନ ସମାଧାନ ହେବ ସେ ନେଇ ଆଶଙ୍କା ଦେଖାଦେଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିୟମକୁ କାର୍ଯ୍ୟକାରୀ କରିବାରେ ଜିଲା ପ୍ରଶାସନର ବିଫଳତା ଖଣି ଅଞ୍ଚଳ ସହ ଜିଲାକୁ ଆର୍ଥିକ ସଙ୍କଟ ଆଡ଼କୁ ଠେଲିଦେଉଥିବା କେତେଜଣ ଅର୍ଥନୀତିଜ୍ଞ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଅଶାନ୍ତି ବାତାବରଣ ଦିନକୁ ଦିନକୁ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ବିଧାୟକଙ୍କ ନୀରବତା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।