ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାକୁ ବିରୋଧ:୧୯ ଆନ୍ଦୋଳନକାରୀ ଗିରଫ, ଉତ୍ତେଜନା

ତାଳଚେର,୬ା୧୨(ନି.ପ୍ର.)

କୋଇଲା ପରିବହନରେ ସୁବ୍ୟବସ୍ଥା ପାଇଁ ଏମ୍‌ସିଏଲ୍‌ର ବଳରାମ ଖଣିରେ ଗୁରୁବାର ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥା ଲାଗୁ କରାଯାଇଥିଲେ ହେଁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। କାର୍ଯ୍ୟର କିଛି ସମୟ ପରେ ତାଳଚେର ବ୍ଲକ ଡଅଁରା ଗ୍ରାମବାସୀ ଏହାକୁ ବିରୋଧ କରି ଜିରୋ ପଏଣ୍ଟଠାରେ ରାସ୍ତା ଅବରୋଧ କରିବାରୁ କଲିୟାରୀ ପୋଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଉଠାଇ ଆଣି ଜଗନ୍ନାଥ କଳାକେନ୍ଦ୍ରରେ ଅଟକ ରଖିଥିଲା। ରାତିରେ ସେମାନଙ୍କ ମଧ୍ୟରୁ ୧୯ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ରିପୋର୍ଟ ଲେଖାହେବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।
ପ୍ରକାଶ ଯେ, କୋଇଲା ପରିବହନ ସମସ୍ୟାକୁ ନେଇ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗତ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ନିଷ୍ପତ୍ତି ଅନୁଯାୟୀ ଗୁରୁବାର ସକାଳ ସାଢେ ୮ଟାରେ ବଳରାମ ଖଣିରେ ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିଛି ଟ୍ରକ୍‌ ଲାଇନରେ ଟୋକନ ନେଇ କୋଇଲା ଲୋଡିଂ କରିଥିଲେ। କିନ୍ତୁ ସାଢେ ୯ଟା ବେଳେ ଡଅଁରା ଗ୍ରାମବାସୀ ଏଥିରେ ରାଜି ନୁହଁ କହି ନିଜ ନିଜର ଟ୍ରକ୍‌ ଲୋଡିଂ ପଏଣ୍ଟରୁ ଫେରାଇ ଆଣିଥିଲେ। ଏହାକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଗ୍ରାମକୁ ବିସ୍ଥାପିତ କରା ନ ଯିବା ପର୍ଯ୍ୟନ୍ତ ୨ ଓ ୩ ନମ୍ବର କଣ୍ଟାରେ ଆଉଟସୋର୍ସିଂ କୋଇଲା ଗ୍ରାମର ଟ୍ରକ୍‌କୁ ଯୋଗାଇ ଦିଆଯିବାକୁ ଗ୍ରାମବାସୀ ଦାବି କରିଥିଲେ। ଏଥିରେ ଖଣି କର୍ତ୍ତୃପକ୍ଷ ରାଜି ନ ହେବାରୁ ଗ୍ରାମବାସୀ ଜିରୋ ପଏଣ୍ଟଠାରେ ରାସ୍ତାରୋକୋ କରିଥିଲେ। ପୋଲିସ ସେଠାରୁ ଶହେରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ଉଠାଇ ଆଣି ଜଗନ୍ନାଥ କଳାକେନ୍ଦ୍ରରେ ଅଟକ ରଖିଥିଲା। ଖବରପାଇ ଗ୍ରାମର ମହିଳାମାନେ ଜିରୋ ପଏଣ୍ଟକୁ ଆସି ଆନ୍ଦୋଳନ କରିବାରୁ ସେଠାରେ ଉତ୍ତେଜନା ଲାଗି ରହିଛି। କୋଇଲା ପରିବହନ ମଧ୍ୟ ବନ୍ଦ ରହିଛି। ପୋଲିସ ରାତିରେ ଅଟକ ଥିବା ଆନ୍ଦୋଳନକାରୀଙ୍କ ମଧ୍ୟରୁ ୧୯ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ସଂକ୍ରାନ୍ତରେ କଲିୟାରୀ ଥାନାରେ ନଂ. ୪୨୨/୧୯ରେ ଏକ ମାମଲା ରୁଜୁ କରାଯାଇଛି। ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରିବା, ବେଆଇନ ଭାବେ ଜିରୋ ପଏଣ୍ଟକୁ ବନ୍ଦ କରିବା ଓ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share