ଫିକା ପଡ଼ିଲା ଈଦ୍‌-ଉଲ୍‌-ଫିତର୍‌ : ଘରେ ଘରେ ପାଳିଲେ ଈଦ୍‌

ଭଦ୍ରକ ଅଫିସ, ୨୫ା୫- ଶାନ୍ତି, ମୈତ୍ରୀ ଓ ଦାନର ପର୍ବ ଈଦ ବା ଈଦ୍‌-ଉଲ୍‌-ଫିତର୍‌। ଏହି ପର୍ବ କରୋନା କଟକଣା କାରଣରୁ ଭଦ୍ରକ ସହରରେ ସୋମବାର ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। କରୋନା ପାଇଁ ପ୍ରଶାସନିକ ସ୍ତରରେ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ୧୪୪ ଧାରା ଜାରି ହୋଇଥିବା କାରଣରୁ ଏହା ଫିକା ପଡ଼ିଛି। ଏହି ପବିତ୍ର ପର୍ବକୁ ମୁସଲିମ ଧର୍ମାବଲମ୍ବୀ ମାନେ ପ୍ରଶାସନର ନିର୍ଦ୍ଦେଶ ଏବଂ ଚଉଦ ମହଲା ମୁସଲିମ ଜମାତର ଅନୁରୋଧ କ୍ରମେ ସାମାଜିକ ଦୂରତା ରଖି ଈଦଗାହ ଓ ମସଜିଦରେ ନମାଜ ପାଠ କରିଛନ୍ତି। ବିଶେଷ କରି ଇଦ୍‌ଗାହ ଓ ମସଜିଦରେ ୫ ଜଣ କରି ମୁସଲିମ ଧର୍ମାବଲମ୍ବୀ ମାନେ ଆସି ସକାଳୁ ନମାଜ ପାଠ କରିଛନ୍ତି। ଅନ୍ୟମାନେ ନିଜ ନିଜ ଘରେ ରହି ନମାଜ ପାଠ କରିଥିବା ଲକ୍ଷ୍ୟ କରାଯାଇଛି। ତେବେ ଭଦ୍ରକ ସହରରେ ଥିବା ଈଦ୍‌ଗାହରେ ଦିନରେ ହଜାର ହଜାର ମୁସଲମାନ ସମୂହ ନମାଜ ପାଠ କରିବାକୁ ଥିବା ବେଳେ ଚଳିତ ବର୍ଷ ଏହି କଟକଣା କାରଣରୁ ମାତ୍ର ୫ଜଣରେ ସୀମିତ ରହିଥିଲା ନମାଜ ପାଠ। ତେବେ ନିରାଡ଼ମ୍ବର ଭାବେ ଏହି ପର୍ବ ପାଳନ କରାଯାଇଥିଲେ ମଧ୍ୟ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନିଜ ନିଜ ଘରେ ରହି ଏହି ପର୍ବକୁ ପାଳନ କରିଛନ୍ତି। ସେହିଭଳି ଜାମା ମସ୍‌ଜିଦ୍‌, ଛଡ଼ାକମହଲା, ମୁଲ୍ଲାସାହି, ନଙ୍ଗାମହଲା, ଅଲାଲପୁର, ବାଙ୍କାଛକ, ହଜାରୀନଗର, ସାହାପୁର, ମିର୍ଜାପୁର, ଶେଖ୍‌ ସାହି, ଦୁର୍ଗାପୁର ଓ ଚରମ୍ପା ମସ୍‌ଜିଦ୍‌ ଠାରେ ଜିଲା ପ୍ରଶାସନର ନିୟମକୁ ମାନି ନମାଜ ପାଠ କରାଯାଇଥିଲା। ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ପର୍ବକୁ ଶୃଙ୍ଖଳିତ କରିବା ପାଇଁ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। କଟକଣା ସତ୍ତ୍ବେ ଘରେ ଘରେ ବନ୍ଧୁ ବାନ୍ଧବ ଏବଂ ପାଖ ପଡ଼ିଶାଙ୍କୁ ନେଇ ଖିଆପିଆର ଆସର ଅନୁଷ୍ଠିତ ହୋଇଛି ।