ଫିକା ପଡ଼ୁଛି ପୂଜାର ମଜା: ପୋଲିସର ଗାଡ଼ି ଯାଞ୍ଚକୁ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୬ା୧୦- ପାର୍ବଣକୁ ନେଇ ଅନୁଗୋଳ ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଗାଡ଼ି ଯାଞ୍ଚ ନାମରେ ପୋଲିସର ଜୁଲମ୍‌ ଏବେ ଅସନ୍ତୋଷର କାରଣ ହୋଇଥିବା ଚର୍ଚ୍ଚା ହେଉଛି। ସରକାର ଦେଇଥିବା ଟାର୍ଗେଟ ପୂରଣ ପାଇଁ ପୋଲିସ ପୂଜା ପର୍ବ ଦେଖିବାକୁ ଆସୁଥିବା ଲୋକଙ୍କ ମୁଣ୍ଡରେ ହାତ ବୁଲାଉଥିବା କୁହାଯାଉଛି।
ଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳ ସହରରେ ଏବେ ପ୍ରବଳ ଭିଡ଼ ହେଉଛି। ଗ୍ରାମାଞ୍ଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ପରିବାର ଧରି ପୂଜା ଦେଖିବାକୁ ଆସୁଥିବାରୁ ପୋଲିସ ସେମାନଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଥିବା ଆଲୋଚନା ହେଉଛି। ସହରର ପିଟିସି ଛକ, ଥାନା ଛକ, କାଞ୍ଚନ ଟକିଜ ଛକ, ହୁଲୁରିସିଂହା ଛକ, ଶିଶୁ ଉଦ୍ୟାନ ଛକ ଆଦି ସ୍ଥାନରେ ସିସିଟିଭି ତଳେ ଠିଆ ହୋଇ ପୋଲିସ ଦିନତମାମ ବାଇକ୍‌ଧାରୀ ଆଇନ ଉଲ୍ଲଂଘନକାରୀଙ୍କଠାରୁ ଫାଇନ ଆଦାୟ କରୁଛି। ଫଳରେ ହାତରେ କେଇଟା ଟଙ୍କା ଧରି ବର୍ଷକରେ ଥରେ ପୂଜାର ମଜା ନେବାକୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ପୋଲିସକୁ ଫାଇନ ଦେଇ ନିରାଶ ହେଉଥିବା କହୁଛନ୍ତି। ମଙ୍ଗଳବାର ତଳମୂଳ ଅଞ୍ଚଳରୁ ପୂଜା ଦେଖାଇବାକୁ ପିଲାଙ୍କୁ ବାଇକ୍‌ରେ ଆଣିଥିବା ଜଣେ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ଆଣିବାକୁ ଭୁଲି ଯାଇଥିବାରୁ ୫ଶହ ଟଙ୍କା ଜରିମାନା ଦେଇଛନ୍ତି। ଫଳରେ ହାତରେ ଆଉ ଟଙ୍କା ନ ଥିବାରୁ ପିଲାଙ୍କୁ ପୂଜା ଦେଖାଇ ନ ପାରି ସେ ଘରକୁ ଫେରିଯାଇଥିବା କ୍ଷୋଭର ସହ କହିଛନ୍ତି। କେବଳ ସମ୍ପକ୍ତ ବ୍ୟକ୍ତି ନୁହନ୍ତି ତାଙ୍କ ପରି ଅନେକ ବାଇକ୍‌ ଆରୋହୀ ଜରିମାନା ଦେଇଥିବାରୁ ପୂଜାର ମଜା ନେଇପାରି ନ ଥିବା ଅଭିଯୋଗ କରିଛନ୍ତି। ଅନୁଗୋଳ ପୋଲିସକୁ ମାସକରେ ୪ଶହ ଭିସିଆର କାଟିବାକୁ ଟାର୍ଗେଟ ଦିଆଯାଇଥିବାରୁ ପୋଲିସ ତାହାକୁ ପୂଜା ସମୟରେ ଆଦାୟ କରିବାରେ ଲାଗିପଡ଼ିଥିବା ପୂଜା ବୁଲି ଆସିଥିବା କେତେଜଣ ଦର୍ଶକ ପ୍ରକାଶ କରିଛନ୍ତି। ତୁରନ୍ତ ପୋଲିସ ଏପରି ଜୁଲମ୍‌ ବନ୍ଦ କରିବାକୁ ସହରବାସୀ ଦାବି କରିଛନ୍ତି।

Share