ସୁଭା,୧୭।୧: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଫଜିରେ ଘୁର୍ଣ୍ଣିଝଡ଼ ‘ଟିନୋ’ କିଛିଘଣ୍ଟା ପରେ ତାଣ୍ଡବ ରଚିପାରେ ବୋଲି କୁହାଯାଉଛି। ଏଥିପାଇଁ ରିଲିଫ୍ ଶିବିର ସବୁ ଖୋଲି ଦିଆଯାଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି। ଶୁକ୍ରବାର ଏଠାରେ ପ୍ରବଳ ପବନ ବହିବ ବୋଲି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରାୟ ୩ ସପ୍ତାହ ହେବ ଏଠାରେ ଝଡ଼ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। ଏହାପରେ ଶୁକ୍ରବାର ‘ଟିନୋ’ ଆସିବ ବୋଲି ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ। ତେବେ ଟିନୋର ପ୍ରଭାବରେ ଘଣ୍ଟାକୁ ୧୩୦ କିଲୋମିଟର ବେଗରେ ପବନ ବହିବା ସହ, ବର୍ଷା ମଧ୍ୟ ହେବ। ଏଥିଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ ବୋଲି ସତର୍କ କରାଇ ଦିଆଯାଇଛି।