Categories: ଖେଳ

ଫିଞ୍ଚଙ୍କ ମୁଣ୍ଡରେ ବାଜିଲ ବଲ

ମେଲବୋର୍ନ,୩୦।୧୧(ଏଏଫ୍‌ପି)- ଅଷ୍ଟ୍ରେଲିଆର ଦିନିକିଆ ଓ ଟି୨୦ ଦଳର ଅଧିନାୟକ ଆରୋନ ଫିଞ୍ଚ ଶନିବାର ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟରେ ଆହତ ହୋଇଛନ୍ତି। ଭିକ୍ଟୋରିଆ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଫିଞ୍ଚଙ୍କ ହେଲମେଟରେ ବଲ ବାଜିଛି। ଏଥିଯୋଗୁ କନକୁଶନ ନିୟମ ଯୋଗୁ ତାଙ୍କ ବଦଳରେ ଟ୍ରାଭିସ ହେଡଙ୍କୁ ଖେଳାଯାଇଛି। ନ୍ୟୁ ସାଉଥ ଓ୍ବଲ୍ସ ଷ୍ଟିଭ ଓ କଫେ ଦ୍ୱିତୀୟ ଦିନର ପ୍ରଥମ ସେଶନରେ ଜେମ୍ସ ପାଟିନଶନଙ୍କ ବଲକୁ ଘୁରାଇ ମାରିଥିଲେ। ମାତ୍ର ବଲ ଶର୍ଟ ଲେଗ୍‌ ଅଞ୍ଚଳରେ ଫିଲ୍ଡିଂ କରୁଥିବା ୩୩ ବର୍ଷୀୟ ଫିଞ୍ଚଙ୍କ ହେଲମେଟରେ ବାଜିଥିଲା। ମେଡିକାଲ ଟିମ୍‌ ତାଙ୍କ ଅବସ୍ଥା ଯାଞ୍ଚ କରିବା ପରେ ମଧ୍ୟ ଅଷ୍ଟ୍ରେଲିଆନ ଓପନର ଫିଲ୍ଡିଂ ଜାରି ରଖିଥିଲେ। ଲଞ୍ଚ ବ୍ରେକବେଳେ କନକୁଶନର ଲକ୍ଷଣ ଦେଖାଯାଇଥିବା କ୍ରିକେଟ ଭିକ୍ଟୋରିଆ ପକ୍ଷରୁ ବିବୃତିରେ ପ୍ରକାଶ ପାଇଥିଲା। ଏହା ୫ ବର୍ଷ ତଳେ ଫିଲିପ୍ସ ହ୍ୟୁଗ୍ସଙ୍କ ସହ ଘଟିଥିବା ଘଟଣା କଥା ମନେ ପକାଇ ଦେଇଥିଲା। ଉଲ୍ଲେଖଥାଉ କି, ମୁଣ୍ଡରେ ବଲ ବାଜି ହମରେଜ ହେବାରୁ ହ୍ୟୁଗ୍ସ ୨୭ ନଭେମ୍ବର ୨୦୧୪ରେ ପ୍ରାଣ ହରାଇ ଥିଲେ। ଶେଫିଲ୍ଡ ଟୁର୍ନାମେଣ୍ଟରେ ଖେଳାଳିଙ୍କ ମୁଣ୍ଡରେ ବଲ ବାଜିବା ପରେ ତାଙ୍କ ବଦଳରେ ଅନ୍ୟ ଖେଳାଳି ଚୂଡ଼ାନ୍ତ ଏକାଦଶରେ ଖେଳିବା ନିୟମ ୨୦୧୭-୧୮ଠାରୁ ରହିଛି।

Share