ଫିଟ୍‌ନେସ୍‌ ପାଇଁ ସିରିୟସ୍‌

ବାବୁସାନ ମହାନ୍ତି। ଓଡ଼ିଆ ସିନେ ଜଗତର ଜଣେ ଆଗଧାଡ଼ିର ଅଭିନେତା। କେବଳ ଜଣେ ଅଭିନେତା ନୁହେଁ ଜଣେ ଭଲ ଗାୟକ ମଧ୍ୟ। ନିଜର ଅଭିନୀତ ଅନେକ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି, ଯାହା ସବୁ ଶ୍ରେତାଙ୍କ ହୃଦୟକୁ ଛୁଇଁଛି। ତାଙ୍କ ଅଭିନୟ ଯେତିକି ଦମ୍‌ଦାର ତାଙ୍କ ଗାୟନ ମଧ୍ୟ ସେତିକି ସୁମଧୁର। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ରୋମିଓ ଦି ଲଭର ବଏ’ ଫିଲ୍ମରୁ ତାଙ୍କର ଓଡ଼ିଆ ଚଳଚ୍ଚିତ୍ରର ଯାତ୍ରା ଆରମ୍ଭ ହୋଇଥିଲା।
ଏଯାବତ୍‌ ବାବୁସାନ ୩୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଗୀତରେ କଣ୍ଠଦାନ କରିଛନ୍ତି। ପୂର୍ବରୁ ନିଜ ଫିଟ୍‌ନେସ୍‌ ପ୍ରତି ଗୁରୁତ୍ୱ ଦେଉ ନ ଥିବା ବାବୁସାନ ଏବେ ପୂରା ବଦଳିଯାଇଛନ୍ତି। ହଟ୍‌ ଲୁକ୍‌ରେ କିପରି ଦର୍ଶକଙ୍କ ମନ ଜିଣିବେ ସେଥିପାଇଁ ସେ ଗତ ଦେଢ଼ ବର୍ଷ ହେବ ନିଜକୁ ପ୍ରସ୍ତୁତ କରୁଛନ୍ତି। ପ୍ରତିଦିନ ଜିମ୍‌ ଯିବା ସହିତ ଯୋଗ ମଧ୍ୟ କରୁଛନ୍ତି। ଜିମ୍‌ ଯିବା ପରେ ତାଙ୍କର ବହୁ ପରିବର୍ତ୍ତନ ହୋଇଛି ବୋଲି ବାବୁସାନ କୁହନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବହୁତ ଅଳସୁଆ ହୋଇଯାଇଥିଲି। ନିଜକୁ ଠକି ଦେଉଥିଲି। କିନ୍ତୁ ଏବେ ସିରିୟସ ହୋଇଯାଇଛି। ଜିମ୍‌ ଯିବା ପରେ ଏକ ଅଲଗା ପ୍ରକାରର ଦୁନିଆରେ ଥିଲା ଭଳି ଲାଗୁଛି। ଫିଟନେସ ଲାଗି ଓ୍ବର୍କଆଉଟ୍‌ କରିବା ଜରୁରୀ ବୋଲି ଭାବି ଜିମ୍‌କୁ ଆସିଲି। ଜିମ୍‌ରେ ବିଭିନ୍ନ ପ୍ରକାର ଏକ୍ସରସାଇଜ୍‌ କରିବା ଦ୍ୱାରା ପଜିଟିଭ୍‌ ଆଟିଚ୍ୟୁଡ୍‌ ହୋଇଯାଇଛି। ଅଯଥା କଥାରୁ ଦୂରେଇ ରହୁଛି। ତେଣୁ ମୁଁ ଭାବୁଛି କେବଳ ଜଣେ ଷ୍ଟାର ନୁହେଁ, ଫିଟ୍‌ ରହିବା ଉପରେ ସମସ୍ତେ ଗୁରୁତ୍ୱ ଦେବା ଦରକାର। ଫିଟନେସ୍‌ ମଣିଷକୁ ଶାନ୍ତ ଓ ସକାରାତ୍ମକ ବ୍ୟକ୍ତିତ୍ୱ ଭାବେ ଗଢ଼ିତୋଳେ ବୋଲି କୁହନ୍ତି ବାବୁସାନ।

Share