Categories: ଖେଳ

ଫିଟ୍‌ନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ଈଶାନ୍ତ: ଟେଷ୍ଟ ଦଳରେ ଯୋଗ ଦେବେ

୧୬।୨(ପି.ଟି.)- ଅଭିଜ୍ଞ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଶନିବାର ଫିଟ୍‌ନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ସେ ଫିଟ୍‌ନେସ ପ୍ରମାଣ ପାଇଁ ପରୀକ୍ଷା ଦେଇଥିଲେ। ସେ ଏଥିରେ ସଫଳ ହୋଇଛନ୍ତି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ଏବେ ସେ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ ଯୋଗଦେବେ। ଆସନ୍ତା ୨୧ ତାରିଖରୁ ଓ୍ବେଲିଂଟନରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ପାଇଁ ଈଶାନ୍ତ ଖୁବ୍‌ ଶୀଘ୍ର ଓ୍ବେଲିଂଟନ ଯାତ୍ରା କରିବେ। ଉଲ୍ଲେଖଥାଉ କି, ଆଉ ୪ଟି ଟେଷ୍ଟ ଖେଳିଲେ କପିଳଦେବଙ୍କ ପରେ ଦେଶର ଦ୍ୱିତୀୟ ଦ୍ରୁତ ବୋଲର ହିସାବରେ ଈଶାନ୍ତ ୧୦୦ତମ ଟେଷ୍ଟ ଖେଳିବାର ସଫଳତା ଅର୍ଜନ କରିବେ। ଫିରୋଜ ଶାହା କୋଟଲାରେ ବିଦର୍ଭ ବିପକ୍ଷ ରଣଜୀ ମ୍ୟାଚ୍‌ ଖେଳୁଥିବା ବେଳେ ସେ ଡାହାଣ ଗୋଇଠିରେ ଆଘାତ ପାଇଥିଲେ। ଏହା ସତ୍ତ୍ୱେ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା। ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଉମେଶ ଯାଦବଙ୍କ ସମେତ ଈଶାନ୍ତ ଶର୍ମା ଭାରତୀୟ ଦ୍ରୁତ ବୋଲିଂ ବିଭାଗର ନିୟମିତ ସଦସ୍ୟ ରହିଆସିଛନ୍ତି।

Share