Categories: ଖେଳ

ଫିଟ୍‌ନେସ ପ୍ରମାଣ ଦେଲେ ହାର୍ଦ୍ଦିକ, ଭୁବି, ଧାଓ୍ବନ

ନବି ମୁମ୍ବାଇ,୨୯ା୨- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସିମର ଭୁବନେଶ୍ୱର କୁମାର, ଓପନର ଶିଖର ଧାଓ୍ବନ ଆହତ ସମସ୍ୟାରୁ ଫେରୁଛନ୍ତି। ସମସ୍ତେ ଡିଓ୍ବାଇ ପାଟିଲ ଟି୨୦ ଟୁର୍ନାମେଣ୍ଟରେ ରିଲାଏନ୍ସ ଓ୍ବାନ ପକ୍ଷରୁ ଶୁକ୍ରବାର ଖେଳିଥିଲେ। ସେମାନଙ୍କ ଫିଟ୍‌ନେସକୁ ଯାଞ୍ଚ କରିଥିଲେ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସକେ ପ୍ରସାଦ। ପୂର୍ବତନ ଉଇକେଟକିପର ପ୍ରସାଦଙ୍କ କାର୍ଯ୍ୟକାଳରେ ବୃଦ୍ଧି ହୋଇପାରେ। ସେ ମାର୍ଚ୍ଚ ୧୨ ତାରିଖଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି ଦଳ ଚୟନ କରିବେ। ହାର୍ଦ୍ଦିକ ଓ ଭୁବି ଭଲ ବୋଲିଂ କରୁଛନ୍ତି। ସମସ୍ତ ଖେଳାଳି ଫିଟ୍‌ ଲାଗୁଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଣ୍ଡ୍ୟା ଅନ୍ତିମ ଥର ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ତାଙ୍କ ଅଣ୍ଟାର ନିମ୍ନ ଭାଗରେ ସଫଳ ଅସ୍ତ୍ରୋପଚାର କରାଇଥିଲେ। ୫ ମାସ ପରେ ଗ୍ରାଉଣ୍ଡକୁ ଫେରିଥିବା ହାର୍ଦ୍ଦିକ ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ଆସି ୨୫ ବଲରେ ୩୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ସାମିଲ ଥିଲା ୪ ଛକା। ଆଉ ପରେ ୩.୪ ଓଭର ବୋଲିଂ କରି ୨୬ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ପିଚ୍‌ରେ ଦୌଡ଼ିବାବେଳେ କିମ୍ବା ବୋଲିଂ ବେଳେ ତାଙ୍କର କୌଣସି ଅସୁବିଧା ହେଉ ନ ଥିଲା। ତାଙ୍କ ଯୋଗୁ ରିଲାଏନ୍ସ ଓ୍ବାନ ୨୫ ରନ୍‌ରେ ବ୍ୟାଙ୍କ ଅଫ୍‌ ବରୋଦାକୁ ହରାଇଥିଲା। ପାଣ୍ଡ୍ୟାଙ୍କ ବ୍ୟତୀତ ଅସ୍ତ୍ରୋପଚାର କରାଇଥିବା ଭୁବି ଓ ଧାଓ୍ବନ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଲାଗି ଫିଟ୍‌ନେସ ପ୍ରମାଣ ଦେଇଛନ୍ତି। ସେମାନେ ଅନ୍ତର୍ଜାତୀୟ କ୍ରିକେଟ ଓ ଆଇପିଏଲରେ ଖେଳିପାରିବେ। ଧାଓ୍ବନ ମାତ୍ର ଗୋଟିଏ ଲେଖାଏ ଚୌକା ଓ ଛକା ବଳରେ ୧୪ ରନ୍‌ କରିଥିଲେ। ସେହିଭଳି ଭୁବି ୩ ଓଭର ବୋଲିଂ କରି ଗୋଟିଏ ହେଲେ ଉଇକେଟ ନେଇପାରି ନ ଥିଲେ। ମାତ୍ର ୧୪ ରନ୍‌ ଦେଇଥିଲେ।

Share