ଫିଟ୍‌ ରହିବା ଲାଗି ସାଇକେଲ ଚଲାଏ

ଓଡ଼ିଆ କଣ୍ଠଶିଳ୍ପୀ ଆର୍‌.ଏସ୍‌. କୁମାର ସବୁବେଳେ ଫିଟ୍‌ନେସ ଉପରେ ଗୁରୁତ୍ୱ ଦିଅନ୍ତି। ବିଭିନ୍ନ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ବର୍ଷସାରା ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲେ ସୁଦ୍ଧା ଡାଏଟ୍‌ରେ ସେ କେବେ ଏପଟସେପଟ କରନ୍ତିନି। ନିଜକୁ ଫିଟ୍‌ ରଖିବା ପାଇଁ ଦୃଢ଼ ମାନସିକତା ଦରକାର ବୋଲି କୁହନ୍ତି ସଙ୍ଗୀତ ଦୁନିଆର ଆଗଧାଡ଼ିର ଏହି ଯୁବ କଣ୍ଠଶିଳ୍ପୀ।

ଉଠିବାର କୌଣସି ନିର୍ଦ୍ଦିଷ୍ଟ ସମୟ ବି ନ ଥାଏ। କେବେ ରାତି ୧୦ଟାରେ ଶୋଉଥିବା ବେଳେ କେବେ କେବେ ଭୋର ୪ଟାରେ ଶୋଇବାକୁ ପଡ଼େ। ଏଣୁ ଜିମ୍‌ କଥା ନ ଭାବି ନିଜ ଦ୍ୱାରା ଯେତିକି ସମ୍ଭବ ସେତିକି ଶାରୀରିକ ପରିଶ୍ରମ କରେ। ଅତି ଦରକାର ନ ଥିଲେ ବାଇକ୍‌ ବଦଳରେ ସାଇକେଲ ନେଇ କିଛି ସ୍ଥାନକୁ ଯାଇଥାଏ। ସକାଳେ ପ୍ରାୟତଃ ସାଇକେଲ ଚଲାଇ କଫି ପିଇବାକୁ ଷ୍ଟାଡିୟମ ପାଖକୁ ଯାଏ।

ରାତ୍ରଭୋଜନ ଗୁରୁତ୍ୱପୂର୍ଣ୍ଣ
ରାତିରେ ଉପାସ ରହିବା ଭଲ ନୁହେଁ। ହେଲେ ରାତିରେ କ’ଣ ଖାଇବାକୁ ହୁଏ ସେ ବିଷୟରେ ବିଶେଷ ଧ୍ୟାନଦେବାକୁ ପଡ଼େ। ଦୁଇଟି ରୁଟି ସହିତ ବିନା ତେଲମସଲାର କିଛି ବି ତରକାରି ହେଲେ ମୁଁ ରାତିରେ ଆନନ୍ଦରେ ଖାଇଦିଏ। ବ୍ରେକ୍‌ଫାଷ୍ଟରେ ପ୍ରାୟ ବ୍ରେଡ୍‌ ଖାଇଥାଏ। ମୋ ରୁମ୍‌ରେ ବିଭିନ୍ନ ପ୍ରକାର ବିସ୍କୁଟ, ବ୍ରେଡ୍‌ ରଖିଥାଏ। ଯାହା ଫଳରେ ବ୍ରେକଫାଷ୍ଟରେ କିଛି ସମସ୍ୟା ହୁଏନି।

ପ୍ରଚୁର ପାଣି ପିଏ
ଶରୀର ସହିତ ଗଳା ଭଲ ରଖିବା ପାଇଁ ପ୍ରତ୍ୟେକ ଦିନ ଜଣେ କଣ୍ଠଶିଳ୍ପୀ ଆବଶ୍ୟକ ପରିମାଣର ପାଣି ପିଇବା ଦରକାର। ଏଣୁ ମୁଁ ନିୟମିତ ବ୍ୟବଧାନରେ ପାଣିପିଏ। ଯେ କୌଣସି କାର୍ଯ୍ୟକ୍ରମ ହେଉ କି ଷ୍ଟୁଡିଓରେ ଥିବାବେଳେ ପାଣି ପିଇବାକୁ କେବେ ବି ଭୁଲେନାହିଁ।

Share