Categories: ଖେଳ

ଫିଟ୍‌ ହେବେ ନୀରଜ

ନୂଆଦିଲ୍ଲୀ,୧୭।୫(ପିଟି)- ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା କହୁଣି ଅସ୍ତ୍ରୋପଚାରରୁ ବିନା ଅସୁବିଧାରେ ସମ୍ପୂର୍ଣ୍ଣ ଫିଟ୍‌ନେସ ହାସଲ କରିବେ। କିନ୍ତୁ ବିଶ୍ୱ ଚାମ୍ପିୟନଶିପ୍‌ ସମେତ ଚଳିତ ବର୍ଷ ହେବାକୁ ଥିବା କୌଣସି ଟୁର୍ନାମେଣ୍ଟରେ ସେ ଅଂଶଗ୍ରହଣ କରିବେ ନାହିଁ ବୋଲି ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସଭାପତି ଆଦିଲେ ସୁମରିଓ୍ବାଲା ଗୁରୁବାର କହିଛନ୍ତି। ରାଜ୍ୟଗୋଷ୍ଠୀ ଓ ଏସିଆନ୍‌ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚଳିତ ମାସ ୨ ତାରିଖରେ ଜଣାଶୁଣା ଅସ୍ଥିଶଲ୍ୟ ଡାକ୍ତର ଦୀନେଶ୍ୱା ପାର୍ଡିଓ୍ବାଲା କହୁଣି ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ମାଧ୍ୟମରେ ୨୧ ବର୍ଷୀୟ ଜାଭେଲିନ ଥ୍ରୋୟରଙ୍କ କହୁଣିରୁ ଭଙ୍ଗା ହାଡ଼କୁ କଢ଼ାଯାଇଛି। ତାଙ୍କୁ ଏଥିରୁ ମୁକୁଳିବା ପାଇଁ ୩ ମାସ ସମୟ ଲାଗିବ। ଏଣୁ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ତାଙ୍କ ଅଂଶଗ୍ରହଣକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଏହି ସମ୍ମାନଜନକ ଇଭେଣ୍ଟ ସେପ୍ଟେମ୍ବର-ଅକ୍ଟୋବରରେ ଦୋହାଠାରେ ଅନୁଷ୍ଠିତ ହେବ। ନୀରଜଙ୍କ କହୁଣିରେ କିଛି ଭଙ୍ଗା ହାଡ଼ ଥିଲା, ଯାହାକୁ କାଢ଼ି ଦିଆଯାଇଛି। ଜଣାଶୁଣା ଫିଜିଓଥେରାପିଷ୍ଟ ହେଥ୍‌ ମାଥ୍ୟୁଙ୍କ ନିକଟରେ ସେ ଚିକିତ୍ସିତ ହେଉଛନ୍ତି। ମୁଁ ନୀରଜଙ୍କ ସମ୍ପର୍କରେ ମାଥ୍ୟୁ ଓ ଡାକ୍ତର ପାର୍ଡିଓ୍ବାଲାଙ୍କ ସହ ଆଲୋଚନା କରିବି। ସେ ଏବେ ଥ୍ରୋଇଂ ଛାଡ଼ି ଅନ୍ୟ ସବୁକିଛି କରୁଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ଦୈନନ୍ଦିନ ରିପୋର୍ଟ ଭଲ ରହିଛି। ସମ୍ପୂର୍ଣ୍ଣ ଫିଟ୍‌ ହେବାରେ କୌଣସି ଅସୁବିଧା ନାହିଁ ବୋଲି ସୁମରିଓ୍ବାଲା କହିଛନ୍ତି। ନୀରଜଙ୍କୁ ଏବେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ଷ୍ଟାର ଶଟ୍‌ଲର ସାଇନା ନେହ୍ବାଲ ଓ ପ୍ରାକ୍ତନ ଟେନିସ୍‌ ଖେଳାଳି ମହେଶ ଭୂପତିଙ୍କ ଭଳି ମେଡିକାଲ ସୁବିଧାସୁଯୋଗ ଦିଆଯାଉଛି।

Share