Categories: ଖେଳ

ଫିଡେ ମହିଳା ଗ୍ରାଁ ପ୍ରି: ତୃତୀୟ ସ୍ଥାନକୁ ଖସିଲେ ହରିକା

ଲଉସେନ,୮।୩(ପି.ଟି.)-ଏଠାରେ ଚାଲିଥିବା ଫିଡେ ମହିଳା ଗ୍ରାଁ ପ୍ରି ଚେସ୍‌ ଟୁର୍ନାମେଣ୍ଟରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଦ୍ରୋଣଭାଲି ହାରିକା ଷଷ୍ଠ ରାଉଣ୍ଡ ମ୍ୟାଚ୍‌ରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଆଲେକଜାଣ୍ଡ୍ରା କୋଷ୍ଟେନେଉକଙ୍କଠାରୁ ପରାସ୍ତ ହୋଇଛନ୍ତି। ଫଳରେ ସେ ତୃତୀୟ ସ୍ଥାନକୁ ଖସିଛନ୍ତି। ଦୁଇଟି ବିଜୟ ଓ ଦୁଇଟି ଡ୍ର ପରେ ଟୁର୍ନାମେଣ୍ଟରେ ହାରିକା ପ୍ରଥମଥର ପାଇଁ ପରାସ୍ତ ହୋଇଛନ୍ତି। ଅନ୍ୟପଟେ କୋଷ୍ଟେନେଉକଙ୍କ ପାଇଁ ଏହି ବିଜୟ ଆଶୀର୍ବାଦ ସଦୃଶ ହୋଇଛି। ୩ଟି କ୍ରମାଗତ ପରାଜୟ ପରେ ସେ ଏହି ବିଜୟ ହାସଲ କରିଛନ୍ତି। ଏବେ ସପ୍ତମ ରାଉଣ୍ଡ ମ୍ୟାଚ୍‌ରେ ବିଶ୍ୱର ୯ ତଥା ଭାରତ ୨ ନମ୍ବର ଖେଳାଳି ହରିକା ସୋମବାର ଝାନାସ୍ୟା ଅବଡୁମାଲିକଙ୍କୁ ଭେଟିବେ।
ଅନ୍ୟପଟେ ୪ ପଏଣ୍ଟ ହାସଲ କରି ରୁଷିଆର ଆଲେଜାଣ୍ଡ୍ରା ଗୋରୟାଜକିନା ଓ ତାଙ୍କ ଦେଶର ଆଲେନା କାଶଲିନସ୍କାୟା ଯୁଗ୍ମ ଅଗ୍ରଣୀ ହୋଇଛନ୍ତି। ଗୋରୟାଜକିନା ୟୁକ୍ରେନର ଆନ୍ନା ମୁଜିଚୁକଙ୍କ ବିପକ୍ଷ ମ୍ୟାଚ୍‌କୁ ଡ୍ର ରଖିଛନ୍ତି। ସେହିପରି ଆଲେନା ଫ୍ରାନ୍ସର ମେରୀ ସେବାଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱ ଚାମ୍ପିୟନ ଜୁ ଓ୍ବେନଜୁନ ସ୍ବିଡେନର ଅଭିଜ୍ଞ ଖେଳାଳି ପିଆ କ୍ରାମଲିଙ୍ଗ୍‌ଙ୍କ ବିପକ୍ଷ ମ୍ୟାଚ୍‌କୁ ଡ୍ର ରଖିଛନ୍ତି। ଜୁ ଏବେ ୨.୫ ପଏଣ୍ଟ ହାସଲ କରି ନବମ ସ୍ଥାନରେ ରହିଛନ୍ତି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ବିଶ୍ୱ ଚାମ୍ପିୟନ ଜୁ’ଙ୍କ ସମେତ ମୋଟ ୧୨ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି।

Share