ଫି’ଦିନ ନଷ୍ଟ ହେଉଛି ଲକ୍ଷେ ଲିଟର କ୍ଷୀର

କଟକ ଅଫିସ,୧୨ା୬: କଟକ ଜିଲାରେ ବିପୁଳ ପରିମାଣରେ କ୍ଷୀର ନଷ୍ଟ ହେଉଛି। ଦିନକୁ ଉତ୍ପାଦନ ୨ ଲକ୍ଷ ୩୦ ହଜାର ଲିଟର। ତଥାପି ବିକ୍ରି ପରେ ବଳୁଛି ୧ଲକ୍ଷରୁ ଅଧିକ ଲିଟର କ୍ଷୀର। ଏହି ସମସ୍ୟା କଟକ ଜିଲା ପ୍ରଶାସନର ଚିନ୍ତା ବଢ଼ାଇ ସାରିଲାଣି। ଏ ନେଇ ଗୁରୁବାର ସନ୍ଧ୍ୟାରେ କଟକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ବୈଠକ ଡକାଯାଇଥିଲା। ଜିଲାପାଳ ତଥା ଜିଲା ଦୁଗ୍ଧ ସଂଘର ପ୍ରଶାସକ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ କଟକ ଦୁଗ୍ଧ ସଂଘ, ଓମ୍‌ଫେଡର ବରିଷ୍ଠ କର୍ମଚାରୀଙ୍କ ସହ ଦୀର୍ଘ ସମୟ ଆଲୋଚନା ହୋଇଛି। କ୍ଷୀର ବିକ୍ରିକୁ ସୁଗମ କରିବା ଓ ଦୁଗ୍ଧଚାଷୀ ସଂଖ୍ୟା ବୃଦ୍ଧି କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଛି।
କଟକ ଜିଲାରେ ଦୁଗ୍ଧ, ଦୁଗ୍ଧ ଜାତୀୟ ସାମଗ୍ରୀର ବିକ୍ରି ଓ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ଚିନ୍ତା ପ୍ରକଟ କରିଛି ଜିଲା ପ୍ରଶାସନ। ଏହି ସାମଗ୍ରୀର ମାନ ବଢ଼ାଇବା ସହ ଚାଷୀଙ୍କ ସହାୟତା ତଥା ବଜାରରେ ବିକ୍ରି କ୍ଷମତା ବୃଦ୍ଧି ପାଇଁ ଜିଲାପାଳ ଚୟନୀ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ୫ ହଜାର ନୂଆ ବିକ୍ରୟ ସ୍ଥଳ କରାଯିବ। ଅଧିକ ମାତ୍ରାରେ କ୍ଷୀର କିଭଳି ବିକ୍ରି କରାଯିବ, ସେ ଦିଗରେ ଦୃଷ୍ଟି ଦିଆଯିବ। ଦଶ ହଜାର ନୂତନ ଦୁଗ୍ଧଚାଷୀଙ୍କୁ ପଞ୍ଜୀକରଣ କରାଯିବା ସହ ପ୍ରବାସୀ ଓଡ଼ିଆଙ୍କୁ ଏଥିରେ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅବିଭକ୍ତ କଟକ ଜିଲାର ପଞ୍ଚାୟତ, ସ୍ବୟଂ ସହାୟକ ଗୋଷ୍ଠୀ, ବେସରକାରୀ ସଂସ୍ଥାଙ୍କୁ ଏଥିରେ ସାମିଲ କରିବା ସହ ଜିଲା ପ୍ରଶାସନ ଅଧିକାରୀଙ୍କୁ ଲୋଡ଼ାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯାଉଛି। ଜିଲାରେ ଏହି କାର୍ଯ୍ୟକୁ କିପରି ତ୍ୱରାନ୍ବିତ କରାଯିବ, ତାହାର ତଦାରଖ ଦାୟିତ୍ୱ ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କୁ ଦିଆଯାଇଛି।

Share