Categories: ଖେଳ

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର : କଳିଙ୍ଗରେ ଭାରତ- କାତାର ମୁକାବିଲା

କୋଲକାତା,୨୨।୨(ପି.ଟି.)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବଡ଼ ଫୁଟବଲ ମ୍ୟାଚ୍‌ ଆୟୋଜନ ହେବାକୁ ଯାଉଛି। ଫିଫା ବିଶ୍ୱକପ୍‌ ଗୁପ୍‌ ଇ କ୍ୱାଲିଫାୟର ମ୍ୟାଚ୍‌ରେ ଭାରତ ଓ କାତାର କଳିଙ୍ଗରେ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ଆସନ୍ତା ମାସରେ ଆୟୋଜନ ହେବ ବୋଲି ଶୁକ୍ରବାର ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ତରଫରୁ କୁହାଯାଇଛି। ମାର୍ଚ୍ଚ ୨୬ ତାରିଖରେ କଳିଙ୍ଗରେ ପରସ୍ପରକୁ ଭେଟିବେ ବୋଲି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶଲ ଦାସ କହିଛନ୍ତି। ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ୍‌) କ୍ଲବ ଓଡ଼ିଶା ଏଫ୍‌ସିର ହୋମ୍‌ ଗ୍ରାଉଣ୍ଡ ରୂପେ କଳିଙ୍ଗ ଷ୍ଟାଡିୟମ ବ୍ୟବହୃତ ହେଉଛି। କଳିଙ୍ଗରେ ଏକାଧିକ ବଡ଼ ମ୍ୟାଚ୍‌ ସଫଳତାର ସହ ଆୟୋଜିତ ହୋଇଛି। ଫୁଟବଲର ପ୍ରସାର ପାଇଁ ଆମେ ନୂଆ ଭେନ୍ୟୁରେ ମ୍ୟାଚ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ। ଓଡ଼ିଶାରେ ମଧ୍ୟ ଫୁଟବଲ୍‌କୁ ଆଶାତୀତ ସମର୍ଥନ ମିଳିଛି ବୋଲି କୁଶଲ କହିଛନ୍ତି।
ଆଇଏସ୍‌ଏଲ୍‌ରେ ଚେନ୍ନାଇନ ଏଫ୍‌ କଳିଙ୍ଗରେ ୨-୦ ଗୋଲରେ ପରାସ୍ତ ହୋଇଥିଲା। ଏହି ପରାଜୟରେ ଅସନ୍ତୋଷ ଜାହିର କରି ଚେନ୍ନାଇନ କୋଚ ଓଓ୍ବେନ କୋଏଲ ଏଠାରେ କୌଣସି ମ୍ୟାଚ ଖେଳାଯିବା ଉଚିତ ନୁହେଁ ବୋଲି କହିଥିଲେ ଓ ଏହାପରେ କଳିଙ୍ଗ ଷ୍ଟାଡିୟମକୁ ନେଇ ଆଲୋଚନା ହୋଇଥିଲା। ଯଦି କିଛି ସମସ୍ୟା ଥାଏ ତେବେ ଓଡ଼ିଶାର କର୍ତ୍ତୃପକ୍ଷ ଏହାର ସମାଧାନ କରିବେ ବୋଲି କୁଶଲ କହିଛନ୍ତି। ଉଲ୍ଲେଖଥାଉ କି, ଗତବର୍ଷ ସେପ୍ଟେମ୍ବରରେ ଦୋହାରେ ଭାରତ- କାତାର ମଧ୍ୟରେ ଅନୁଷ୍ଠିତ ଫାଷ୍ଟ ଲେଗ୍‌ ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ଭାରତୀୟ ଗୋଲକିପର ଗୁରପ୍ରୀତ ସିଂ ସାନ୍ଧୁ ଐତିହାସିକ ପ୍ରଦର୍ଶନ କରିଥିଲେ ଓ କାତାରର ଘନ ଘନ ଆକ୍ରମଣକୁ ପଣ୍ଡ କରିଥିଲେ। କ୍ୱାଲିଫାୟରରେ ଭାରତ ୫ଟି ମ୍ୟାଚ୍‌ ଖେଳି ୩ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି। ବାଂଲାଦେଶ ୧ ପଏଣ୍ଟ ପାଇ ସର୍ବନିମ୍ନ ସ୍ଥାନରେ ରହିଛି। କାତାର ୧୩ ପଏଣ୍ଟ ପାଇ ଶୀର୍ଷରେ, ଓମାନ ଓ ଆଫଗାନିସ୍ତାନ ଯଥାକ୍ରମେ ୧୨ ଓ ୪ ପଏଣ୍ଟ ପାଇଁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। କୋଚ୍‌ ଆଇଗର ଷ୍ଟିମାକଙ୍କ ଭାରତୀୟ ଦଳ ଯୋଗ୍ୟତା ଆଶା ଶେଷ ହୋଇସାରିଛି।

Share