Categories: ଖେଳ

ଫିଫା ବିଶ୍ୱକପ୍‌: ଭାରତୀୟ ଦର୍ଶକ ନେଇ କାତାରର ଆଶା

ମୁମ୍ବାଇ, ୨୨ା୪ (ପି.ଟି.)-କାତାର ୨୦୨୨ ଫିଫା ବିଶ୍ୱକପ୍‌ର ଆୟୋଜକ ହୋଇଛି। ସୌଦି ଆରବ ନେତୃତ୍ୱରେ କେତେକ ଦେଶ ଏହି ଦେଶକୁ ଅର୍ଥନୈତିକ ବାସନ୍ଦ କରିଥିଲେ ହେଁ ବହୁସଂଖ୍ୟାରେ ଭାରତୀୟ ମେଗା ଇଭେଣ୍ଟ ଦେଖିବା ଲାଗି ଦେଶକୁ ଆସିବେ ବୋଲି ବିଶ୍ୱକପ୍‌ ସିଇଓ ନାସେର ଅଲ୍‌ ଖାଟେର ଆଶାପ୍ରକାଶ କରି କହିଛନ୍ତି। ଦର୍ଶକଙ୍କ ଆଗମନ ପାଇଁ ଆମେ ଯଥାସମ୍ଭବ ଜଳପଥ ଏବଂ ଆକାଶ ପଥ ବ୍ୟବହାର କରିବୁ। ରୁଷିଆରେ ୨୦୧୮ ଫିଫା ବିଶ୍ୱକପ୍‌ ପାଇଁ ବହୁ ଭାରତୀୟ ଫୁଟ୍‌ବଲ ପ୍ରେମୀ ଯାଇଥିଲେ। ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିପାରି ନ ଥିବା ଦେଶଗୁଡ଼ିକର ଦର୍ଶକଙ୍କ ମଧ୍ୟ ଭାରତୀୟଙ୍କ ସଂଖ୍ୟା ତୃତୀୟ ସର୍ବାଧିକ ଥିଲା। ସମସ୍ତ ଷ୍ଟାଡିୟମରେ ଅତ୍ୟାଧୁନୀକ କୁଲିଂ ବ୍ୟବସ୍ଥା କରାଯିବ। ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମର ଆଧୁନିକୀକରଣ କରାଯାଇଛି।ମ୍ୟାଚ ଖେଳାଯିବା ବେଳେ ଏହି ଷ୍ଟାଡିୟମର ବାହାରେ ତାପମାତ୍ରା ୪୦ଡିଗ୍ରୀ ସେଲସିଅସ ଥିବ। ମାତ୍ର ଅତ୍ୟାଧୁନୀକ କୁଲିଂ ସିଷ୍ଟମ ଦ୍ୱାରା ଷ୍ଟାଡିୟମ ଭିତର ତାପମାତ୍ରାକୁ ୨୩ ଡିଗ୍ରୀକୁ ହ୍ରାସ କରାଯିବ। ଭାରତୀୟଙ୍କ ଲାଗି ଭିଜାର ଅବଧି ବୃଦ୍ଧି କରାଯାଇଥିବା ଖାଟେର ସୂଚନା ଦେଇଛନ୍ତି। ବିଡ୍‌ ଉପସ୍ଥାପନ ବେଳେ ଆମେ ସୂଚାଇ ଦେଇଥିଲୁ ଯେ, ଅତ୍ୟାଧୁନୀକ କୁଲିଂ ବ୍ୟବସ୍ଥା ଦ୍ୱାରା ବିଶ୍ୱକପ୍‌ ବେଳେ ଷ୍ଟାଡିୟମର ତାପମାତ୍ରା ୨୦ରୁ ୩୦ ମଧ୍ୟରେ ରଖାଯିବ।

Share