Categories: ଖେଳ

ଫିଫା ମହିଳା ବିଶ୍ୱକପ୍‌ବ୍ରାଜିଲ ବିଜୟରେ ମାର୍ଟାଙ୍କ ବିଶ୍ୱ ରେକର୍ଡ

ଭାଲେନସିନେସ୍‌ (ଫ୍ରାନ୍ସ), ୧୯।୬(ଏଏଫ୍‌ପି): ଏଠାରେ ଚାଲିଥିବା ଫିଫା ମହିଳା ବିଶ୍ୱକପ୍‌ର ୭ମ ସଂସ୍କରଣରେ ବ୍ରାଜିଲ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍‌-ସି’ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବ୍ରାଜିଲ ୧-୦ ଗୋଲରେ ଇଟାଲୀକୁ ହରାଇ ଦେଇଛି। ବିଜୟୀ ବ୍ରାଜିଲ ଦଳ ପକ୍ଷରୁ କିମ୍ବଦନ୍ତୀ ଖେଳାଳି ତଥା ୬ଥର ଓ୍ବାଲର୍‌ଡ ପ୍ଲେୟାର୍‌ ଅଫ୍‌ ଦି ଇୟର ପୁରସ୍କାର ବିଜୟିନୀ ମାର୍ଟା ଏକମାତ୍ର ଗୋଲସ୍କୋର କରିଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ବ୍ରାଜିଲକୁ ଏକ ପେନାଲ୍ଟି ମିଳିଥିଲା। ୩୩ ବର୍ଷୀୟା ମାର୍ତା ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ବଲ୍‌କୁ ପ୍ରତିପକ୍ଷ ନେଟ୍‌ ମଧ୍ୟକୁ ପଠାଇବାରେ କୌଣସି ତ୍ରୁଟି କରି ନ ଥିଲେ। ଏହି ଗୋଲ ସହ ମାର୍ଟା ଏକ ବିରଳ କ୍ଲବରେ ସାମିଲ ହୋଇଛନ୍ତି। ଫିଫା ବିଶ୍ୱକପ୍‌ର ଉଭୟ ପୁରୁଷ ଓ ମହିଳା ସଂସ୍କରଣରେ ସେ ସର୍ବାଧିକ ଗୋଲ ସ୍କୋରର ହେବାର କୀର୍ତ୍ତିମାନକୁ ନିଜ ନାମରେ କରିଛନ୍ତି। ବିଶ୍ୱକପ୍‌ରେ ମାର୍ଟାଙ୍କ ମୋଟ୍‌ ଗୋଲସଂଖ୍ୟା ବର୍ତ୍ତମାନ ୧୭ରେ ପହଞ୍ଚତ୍ଛି। ଏହିକ୍ରମରେ ସେ ପୁରୁଷ ବିଶ୍ୱକପ୍‌ର ସର୍ବାଧିକ ଗୋଲସ୍କୋର କରିଥିବା ଜର୍ମାନୀର ଅବସରପ୍ରାପ୍ତ ଷ୍ଟାର୍‌ ଷ୍ଟ୍ରାଇକର ମିରୋସ୍ଲାଭ କ୍ଲୋଜ (୧୬ଗୋଲ)ଙ୍କୁ ଅତିକ୍ରମ କରିଛନ୍ତି। ପରାଜୟ ସତ୍ତ୍ୱେ ଇଟାଲୀ ୩ ମ୍ୟାଚ୍‌ରୁ ୬ ପଏଣ୍ଟ ପାଇ ପୂର୍ବରୁ ଅନ୍ତିମ-୧୬ରେ ସ୍ଥାନ ସୁରକ୍ଷିତ କରିସାରିଛି।

Share