Categories: ଖେଳ

ଫିଫା ର଼୍ୟାଙ୍କିଙ୍ଗ୍‌ରେ ଭାରତର ଅବନତି

ନୂଆଦିଲ୍ଲୀ, ୨୪।୧୦ (ପି.ଟି.)- ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଅବନତି ହୋଇଥିବା ଦେଖିବାକୁ ମିଳିଛି। ଭାରତୀୟ ଫୁଟ୍‌ବଲ ଦଳ ୨ଟି ପାହାଚ ତଳକୁ ଖସି ୧୦୬ତମ ସ୍ଥାନରେ ରହିଛି। ଚଳିତ ମାସ ମଧ୍ୟଭାଗରେ ବାଂଲାଦେଶ ବିପକ୍ଷରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌କୁ ଭାରତ ୧-୧ ଗୋଲରେ ଡ୍ର ରଖିଥିଲା। ଯେହେତୁ ଫିଫା ମାନ୍ୟତାରେ ବାଂଲାଦେଶ ନିମ୍ନ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ଦଳ ସେହି କାରଣରୁ ଭାରତକୁ ୨ଟି ସ୍ଥାନ ହରାଇବାକୁ ପଡ଼ିଛି। ଏଥିପୂର୍ବରୁ ସେପ୍ଟେମ୍ବରରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ଭାରତ ଏସିଆ ଚାମ୍ପିୟନ କାତାର ବିପକ୍ଷରେ ମ୍ୟାଚ୍‌କୁ ଗୋଲଶୂନ୍ୟ ଭାବେ ଡ୍ର’ ରଖିବାରେ ସଫଳ ହୋଇଥିଲା। ଭାରତ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖି ବାଂଲାଦେଶ ୩ଟି ପାହାଚ ଉପରକୁ ଉଠି ୧୮୪ତମ ସ୍ଥାନ ଲାଭ କରିଛି।
ଦଳ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଥିବାବେଳେ ଫ୍ରାନ୍ସ ଓ ବ୍ରାଜିଲ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି। ଟପ୍‌-୧୦ରେ ରହିଥିବା ଉରୁଗୁଏ (୫ମ), କ୍ରୋଏସିଆ (୭ମ) ଓ ଆର୍ଜେଣ୍ଟିନା (୯ମ) ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି। ଇଂଲଣ୍ଡ ୪ର୍ଥ ସ୍ଥାନରେ ରହିଥିବାବେଳେ ପର୍ତ୍ତୁଗାଲ, ସ୍ପେନ ଓ କଲମ୍ବିଆ ଯଥାକ୍ରମେ ୬ଷ୍ଠ, ୮ମ ଓ ୧୦ମ ସ୍ଥାନରେ ରହିଛନ୍ତି।

Share