Categories: ଖେଳ

ଫିଫା ଶ୍ରେଷ୍ଠ ଖେଳାଳି ଦୌଡ଼ରେ ରୋନାଲ୍ଡୋ, ମେସି

ପ୍ୟାରିସ, ୧।୮- ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଶ୍ରେଷ୍ଠ ଫୁଟ୍‌ବଲ ପୁରସ୍କାର ଲାଗି ସମ୍ଭାବ୍ୟ ସଂକ୍ଷିପ୍ତ ତାଲିକା ପ୍ରକାଶ ପାଇଛି। ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି, ଶ୍ରେଷ୍ଠ ମହିଳା ଖେଳାଳି, ଶ୍ରେଷ୍ଠ ପୁରୁଷ କୋଚ୍‌ ଓ ଶ୍ରେଷ୍ଠ ମହିଳା କୋଚ୍‌ ଭାବେ ଚାରୋଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ୨୦୧୮ ବର୍ଷ ଲାଗି କ୍ରୋଏସିଆ ମିଡ୍‌ଫିଲ୍ଡର ଲୁକା ମୋଡ୍ରିକ୍‌ଙ୍କୁ ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। କିନ୍ତୁ ଚଳିତଥର ୧୦ଜଣିଆ ତାଲିକାରେ କିଛି ନୂଆ ମୁହଁଙ୍କୁ ଦେଖିବାକୁ ମିଳିଛି। ବିଶ୍ୱ ଫୁଟ୍‌ବଲର ଦୁଇ କିମ୍ବଦନ୍ତୀ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ ମେସି ଓ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସମେତ ଫ୍ରେକି ଡି ଜଙ୍ଗ୍‌ (ନେଦରଲାଣ୍ଡ୍ସ), ମାଥିସ ଡି ଲିଗ୍ଟ (ନେଦରଲାଣ୍ଡ୍ସ), ଇଡେନ ହାଜାର୍ଡ (ବେଲଜିୟମ), ହ୍ୟାରୀ କେନ୍‌ (ଇଂଲଣ୍ଡ), ସାଡିଓ ମାନେ (ସେନେଗାଲ), କିଲିଆନ୍‌ ଏମ୍‌ବାପ୍ପେ (ଫ୍ରାନ୍ସ), ମହମ୍ମଦ ସାଲ୍‌ହା (ଇଜିପ୍ଟ) ଓ ଭିର୍ଗିଲ ଭାନ୍‌ ଡିଜକ୍‌ (ନେଦରଲାଣ୍ଡ୍ସ) ଫିଫା ଶ୍ରଷ୍ଠ ପୁରୁଷ ଖେଳାଳି ଦୌଡ଼ରେ ରହିଛନ୍ତି। ସେହିଭଳି ଫିଫା ଶ୍ରେଷ୍ଠ ମହିଳା ଫୁଟ୍‌ବଲ ଖେଳାଳି ପୁରସ୍କାର ଲାଗି ପ୍ରକାଶ ପାଇଥିବା ସଂକ୍ଷିପ୍ତ ତାଲିକାରେ ଲୁସି ବ୍ରୋଞ୍ଜ (ଇଂଲଣ୍ଡ), ଜୁଲି ଏର୍ଟଜ୍‌ (ଆମେରିକା), କାରୋଲିନ ଗ୍ରାହମ ହାନସେନ (ନର୍‌ଓ୍ବେ), ଏଡା ହେଗରବର୍ଗ (ନର୍‌ଓ୍ବେ), ଆମାଣ୍ଡିନେ ହେନରୀ (ଫ୍ରାନ୍ସ), ସାମ୍‌ କେର୍‌ (ଅଷ୍ଟ୍ରେଲିଆ), ରୋଜ୍‌ ଲାଭେଲେ (ଆମେରିକା), ଭିଭିଆନେ ମିଏଡେମା (ନେଦରଲାଣ୍ଡ୍ସ), ଆଲେକ୍ସ ମୋର୍ଗାନ (ଆମେରିକା), ମେଗନ ରାପିନୋଏ (ଆମେରିକା), ଓ୍ବେଣ୍ଡି ରେନାର୍ଡ (ଫ୍ରାନ୍ସ) ଓ ଏଲିନା ହ୍ବାଇଟ୍‌ (୍‌ଇଂଲଣ୍ଡ) ରହିଛନ୍ତି। ଅପରପକ୍ଷରେ ଫିଫା ଶ୍ରେଷ୍ଠ ପୁରୁଷ ଓ ମହିଳା କୋଚ୍‌ ଲାଗି ୧୦ ଜଣିଆ ତାଲିକା ମଧ୍ୟ ପ୍ରକାଶ ପାଇଛି। ପୁରୁଷ କୋଚ୍‌ ତାଲିକାରେ ଫ୍ରାନ୍ସର ଡିଡର୍‌ ଡେସଚାମ୍ପ୍‌ ଟଫ୍ରି ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି। ଜାତୀୟ ଦଳର ଅଧିନାୟକ, କୋଚ୍‌, ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ପ୍ରଶଂସକଙ୍କ ଭୋଟ୍‌ ଅନୁଯାୟୀ ସବୁ ବର୍ଗର ବିଜେତା ଚୟନ କରାଯିବ ବୋଲି ଜଣାପଡ଼ିଛି।

Share