ଫିରିଙ୍ଗିଆରେ ଯବାନ-ମାଓବାଦୀ ଗୁଳି ବିିନିମୟ: ଖସି ଗଲେ ମାଓବାଦୀ ନେତା ମମତା, ସୁକ୍ରୁ, ବଣ୍ଟି

ଫୁଲବାଣୀ ଅଫିସ, ୨୦ା୧- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି। ଅଡନସୁଗା, ସାଉଲପଡା-ଲଦାପଦର ରାସ୍ତା ଓଡାବାଲି ଜଙ୍ଗଲରେ ଏସ୍‌ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଶୁକ୍ରବାର ସକାଳେ ଓ ସନ୍ଧ୍ୟାରେ ଦୁଇଥର ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ଛତ୍ରଭଙ୍ଗ ଦେବାପରେ ସେମାନଙ୍କର ଏକ କ୍ୟାମ୍ପ ଠାବ କରାଯାଇଛି। କେକେବିଏନ୍‌ ଏବଂ ବିଜିଏନ୍‌ ଡିଭିଜନର ସଦସ୍ୟ ସେଠାରେ ଏକାଠି ହୋଇଥିବା ଜଣାପଡିଛି। ମାଓବାଦୀ ନେତା ମମତା, ସୁକ୍ରୁ ଏବଂ ବଣ୍ଟି ଅଳ୍ପକେ ଖସି ଯାଇଛନ୍ତି। ଜଙ୍ଗଲ ମଧ୍ୟରେ ଠାବ ହୋଇଥିବା କ୍ୟାମ୍ପରୁ ୯ ଏମ୍‌ଏମ୍‌୍‌ ପିସ୍ତଲ, ବିସ୍ଫୋରକ, ଇନସାସ୍‌ ବନ୍ଧୁକର ଗୁଳି, ୱାକିଟକି, ରେଡିଓ, ଟର୍ଚ୍ଚ, ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ଔଷଧ, ୟୁନିଫର୍ମ ଆଦି ଜବତ କରାଯାଇଛି।
ସୁମରବନ୍ଧ ପଞ୍ଚାୟତ ରାତାମାସ୍କା, ଅଡାବାଲି ଆଦି ଅଞ୍ଚଳରେ ମାଓବାଦୀମାନେ ଖାଦ୍ୟ ସାମଗ୍ରୀ, ଡ୍ରେସ ଆଦି ନେଉଥିବା ଜଣାପଡିଥିଲା। ସେହି ଅଞ୍ଚଳରେ ସେମାନେ ମିଟିଂ କରିବା ଏବଂ ଏକତ୍ରିତ ହୋଇଥିବା ଖବର ମିଳିଥିଲା। ଶୁକ୍ରବାର ଆମର ଏସ୍‌ଓଜି ଟିମ୍‌ କୋମ୍ବିଂ ଅପରେଶନରେ ବାହାରିଥିଲା। ସକାଳ ପ୍ରାୟ ସାଢ଼େ ୭ଟାବେଳେ ଅଡନସୁଗା ଜଙ୍ଗଲଠାରେ ଅଟୋମେଟିକ ରାଇଫଲ ଏକେ-୪୭ରୁ ମାଓବାଦୀମାନେ ଗୁଳି କରିଥିଲେ। ଏହାପରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ। ମାଓବାଦୀମାନେ ସେଠାରୁ ଚାଲି ଯିବାରୁ ସର୍ଚ୍ଚ ଅପରେଶନ ଜୋରଦାର କରାଯାଇଥିଲା। ପୁଣି ସନ୍ଧ୍ୟା ୫ଟାବେଳେ ସାଉଲପଡା-ଲଦାପଦର ରାସ୍ତା ଅଡାବାଲି ଜଙ୍ଗଲରେ ଆଉ ଗୋଟିଏ ଟିମ୍‌ ସହ ମାଓବାଦୀଙ୍କ ମୁହଁାମୁହିଁ ହୋଇଥିଲା। ସେଠାରେ ମାଓବାଦୀ କ୍ୟାମ୍ପ ଠାବ କରାଯାଇଥିଲା। ସେଠାରେ କେକେବିଏନ ଏବଂ ବିଜିଏନର ମିଳିତ ମିଟିଂ ହୋଇଥିବା ଖବର ମିଳିଛି। ମାଓବାଦୀ ନେତା ମମତା, ସୁକ୍ରୁ ଏବଂ ବଣ୍ଟି ସେଠାରେ ଥିବା ଅନୁମାନ କରାଯାଉଛି। ଉଭୟ କମିଟିର ସଦସ୍ୟମାନେ ବଡଧରଣର ହିଂସା ଘଟାଇବା ପାଇଁ ମିଳିତ ହୋଇଥିଲେ। ମହିଳାଙ୍କ ସମେତ ୨୫ରୁ ଊର୍ଦ୍ଧ୍ୱ ମାଓବାଦୀ ଉପସ୍ଥିତ ଥିବା ଅନୁମାନ କରାଯାଉଛି। ଏହି ଗୁଳି ବିନିମୟରେ ଆମର କିଛି ଯବାନଙ୍କୁ ସାମାନ୍ୟ ଆଘାତ ଲାଗିଛି। କୋମ୍ବିଂ ଅପରେଶନ ଚାଲୁ ରହିଛି ବୋଲି ଏସ୍‌ପି ପ୍ରତୀକ ଗୀତା ସିଂ ରବିବାର ଅପରାହ୍ନରେ ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Share